ଟି-୨୦ ବିଶ୍ୱକପରେ ଧୋନୀ:  ୨୦୦୭ରୁ ୨୦୧୬ ଅଧିନାୟକ, ୨୦୨୧ରେ ମେଣ୍ଟର 

382

କନକ ବ୍ୟୁରୋ: ୨୦୦୭ରୁ ୨୦୧୬ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ଅଧିନାୟକ । ଆଉ ଏବେ ୨୦୨୧ ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ମେଣ୍ଟର ।  ସେତେବେଳେ ଦଳର ନେତୃତ୍ୱ ନେଉଥିଲେ, ଆଉ ଏବେ ଦଳକୁ ବିଶ୍ୱକପ ବିଜୟର ଫର୍ମୁଲା କହିବେ ମହେନ୍ଦ୍ର ସିଂହ ଧୋନୀ । ପୂର୍ବ ଅପେକ୍ଷା ଏବେ ଦାୟିତ୍ୱ ବଦଳିଛି ସତ, ହେଲେ ଦଳରେ ସେହି ସମାନ କାମ କରିବେ ଏମ୍ ଏସ୍ । ବୁଧବାର ଆଇସିସି ଟି-୨୦ ବିଶ୍ୱକପରେ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦଳର ମେଣ୍ଟର ଭାବେ ଦାୟିତ୍ୱ ମିଳିବା ପରେ କ୍ରିକେଟ ସମୀକ୍ଷକମାନେ କିଛି ଏଭଳି ମତ ଦେଇଛନ୍ତି ।

ଟି-୨୦ ବିଶ୍ୱକପ ପାଇଁ ବିସିସିଆଇ ଆଜି ଦଳ ଘୋଷଣା କରିଛି । ଯେଉଁଥିରେ ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରାଯାଇଛି । ଆଉ ଏହି ଦଳର ମେଣ୍ଟର ଭାବେ ଦାୟିତ୍ୱ ମିଳିଛି ମହେନ୍ଦ୍ର ସିଂହ ଧୋନୀଙ୍କୁ । କାରଣ ସେ ହିଁ ଦଳର ଏକମାତ୍ର ଅଧିନାୟକ ଥିଲେ ଯିଏକି ପ୍ରଥମ କରି ଦଳକୁ ପ୍ରଥମ ଟି-୨୦ ବିଶ୍ୱକପରେ ଚାମ୍ପିୟନ କରିପାରିଥିଲେ । ଲଗାତାର ୬ଟି ଟି-୨୦ ବିଶ୍ୱକପରେ ଦଳର ନେତୃତ୍ୱ ନେବାର ଅଭିଜ୍ଞତା ତାଙ୍କ ପାଖରେ ଥିବାରୁ ବିସିସିଆଇ ତାଙ୍କୁ ଏବେ ଏହି ଗୁରୁ ଦାୟିତ୍ୱ ଦେଇଛି ।

କ୍ରିକେଟ୍ ଇତିହାସ ପୃଷ୍ଠାକୁ ଓଲଟାଇ ଦେଖିଲେ ଜାଣିହେବ ଯେ, ୨୦୦୭ ମସିହାରେ ଯେବେ ପ୍ରଥମ କରି ଟି-୨୦ ବିଶ୍ୱକପ ଖେଳାଯାଇଥିଲା ସେତେବେଳ ଏକ ନୂଆ ଅଧିନାୟକ ସହ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ ।  ମହେନ୍ଦ୍ର ସିଂହ ଧୋନୀ ସେହି ଅଧିନାୟକ ଥିଲେ ଯିଏ ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ । ଆଉ ୨୦୦୭ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଦେଇଥିଲେ ବିଶ୍ୱକପ୍ ।  ଏହାପରେ ମଧ୍ୟ ସେ ଲଗାତାର ୫ଟି ବିଶ୍ୱକପରେ ଦଳର ନେତୃତ୍ୱ ନେଇଛନ୍ତି । ୨୦୦୭ରେ ଚାମ୍ପିୟନ ପରେ ତାଙ୍କ ନେତୃତ୍ୱରେ ଦଳ ୨୦୧୪ରେ ରନର୍ସ ଅପ ମଧ୍ୟ ହୋଇଥିଲା । ଆଉ ଏବେ ଦଳକୁ ପୁଣି ଚାମ୍ପିୟନ କରିବାକୁ ଧୋନୀଙ୍କୁ ମିଳିଛି ଗୁରୁ ଦାୟିତ୍ୱ ।