ପାକିସ୍ତାନ କ୍ରିକେଟରଙ୍କୁ ନିଜର ଜର୍ସି ଉପହାରରେ ଦେଲେ ଧୋନୀ । କିଛି ଏମିତି କହିଲେ ହାରିସ ରୌଫ… ।

172

କନକ ବ୍ୟୁରୋ : ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚରେ କେଉଁ ଭଳି ସ୍ଥିତି ଉପୁଜେ ତାହା ଅଳ୍ପେ ବହୁତେ ସମସ୍ତଙ୍କୁ ଜଣା । ଉଭୟ ଦେଶର କ୍ରିକେଟର ଅନେକ ସମୟରେ ପଡିଆରେ ମୁହାଁମୁହିଁ ହୋଇଥିବାର ଦେଖିବାକୁ ମିଳେ । ପଡିଆ ବାହାରେ ପ୍ରଂଶସକଙ୍କ ମଧ୍ୟରେ ବି ଏହି ଟ୍ରେଣ୍ଡ କିଛି କମ ନୁହେଁ । ତେବେ କ୍ରିକେଟକୁ ଭଦ୍ର ଲୋକଙ୍କ ଖେଳ ବୋଲି କୁହାଯାଏ । ଆଉ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଅର୍ନ୍ତଜାତୀୟ କ୍ରିକେଟରୁ ଧୋନୀ ସନ୍ନ୍ୟାସ ନେଇଛନ୍ତି ସତ କିନ୍ତୁ ଏବେ ବି ପ୍ରଂଶସକଙ୍କ ମଧ୍ୟରେ ଧୋନୀଙ୍କର ଜବରଦସ୍ତ କ୍ରେଜ ରହିଛି । କ୍ୟାପଟେନ କୁଲ ଭାବେ ଜଣାଶୁଣା ଧୋନୀ ଅନେକ ସମୟରେ ପ୍ରଂଶସକଙ୍କ ମନ ଜିଣିଥିବା ବେଳେ ପାକିସ୍ତାନୀ କ୍ରିକେଟରଙ୍କ ମନ ମଧ୍ୟ ଜିଣିଛନ୍ତି ।

ପାକିସ୍ତାନର ଦ୍ରୁତ ବୋଲର ହାରିସ ରୌଫଙ୍କୁ ଧୋନୀ ଚେନ୍ନାଇ ସୁପର କିଙ୍ଗସର ନିଜର ଜର୍ସି ଉପହାର ଆକାରରେ ଦେଇଛନ୍ତି । ଯେଉଁଥିରେ ଧୋନୀଙ୍କ ନମ୍ବର ୭ ଲେଖା ରହିଛି । ଉପହାର ମିଳିବା ପରେ ହାରିସ ସୋସିଆଲ ମିଡ଼ିଆରେ ଏହି ଜର୍ସିର ଫଟୋ ସେୟାର କରିବା ସହ ଲେଖିଛନ୍ତି, କ୍ୟାପଟେନ କୁଲ ତଥା ଶ୍ରେଷ୍ଠ ଖେଳାଳୀ ମହେନ୍ଦ୍ର ସିଂ ଧୋନୀ ନିଜର ଜର୍ସି ମୋତେ ଉପହାରରେ ଦେଇ ସମ୍ମାନିତ କରିଛନ୍ତି । ନମ୍ବର ୭ ଏବେ ମଧ୍ୟ ନିଜର ବ୍ୟବହାର ଓ ଉଦାରତା ପାଇଁ ଲୋକଙ୍କ ହୃଦୟ ଜିଣୁଛି । ଏହାସହ ଚେନ୍ନାଇ ଟିମର ମ୍ୟାନେଜର ରସେଲ ରାଧାକୃଷ୍ଣନଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି ହାରିସ ।

ଏସବୁ ଭିତରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଗାମୀ ଆଇପିଏଲ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଚଳିତ ସିଜିନ ପାଇଁ ଚେନ୍ନାଇ ଧୋନୀଙ୍କୁ ରିଟେନ ରଖିଥିବା ବେଳେ ଆଗକୁ ଆଇପିଏଲର ମହାନିଲାମୀ ହେବାକୁ ଯାଉଛି । ଅନ୍ୟପଟେ ହାରିସ ମଧ୍ୟ ପିଏସଏଲ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆସନ୍ତା ଜାନୁଆରୀ ୨୭ରୁ ପିଏସଏଲର ଚଳିତ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି ।