ଧୋନୀ ବର୍ବାଦ କରିଛନ୍ତି ଇରଫାନଙ୍କ କ୍ୟାରିୟର? କାହିଁକି ଏମିତି କହିଲେ ଫ୍ୟାନ?

1,048

କନକ ବ୍ୟୁରୋ: ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ । ଏବେ ଇରଫାନ ଲିଜେଣ୍ଡ କ୍ରିକେଟ ଲିଗରେ ଧମାଲ ମଚାଉଛନ୍ତି । ତାଙ୍କ ବ୍ୟାଟିଂ, ବୋଲିଂ ଦେଖି ଫ୍ୟାନମାନେ ଫିଦା ହୋଇଯାଇଛନ୍ତି । ଇରଫାନଙ୍କୁ ଏବେ ମାତ୍ର ୩୭ ବର୍ଷ । ଏତେ କମ ବୟସରେ ସେ କାହିଁକି ଅବସର ନେଲେ ବୋଲି ଫ୍ୟାନମାନେ ଦୁଃଖପ୍ରକାଶ ମଧ୍ୟ କରିଛନ୍ତି । ଇରଫାନଙ୍କୁ ଆସନ୍ତା ମାସରେ ୩୮ ବର୍ଷ ହୋଇଯିବ । ଇରଫାନଙ୍କୁ ମାତ୍ର ୨୯ ବର୍ଷ ବୟସ ହୋଇଥିବା ବେଳେ ସେ କ୍ରିକେଟରୁ ଅବସର ନେଇଥିଲେ ।

ଇରଫାନ ଟିମ ଇଣ୍ଡିଆ ପାଇଁ ନିଜ ଶେଷ ମ୍ୟାଚ ୨୦୧୨ ମସିହାରେ ଖେଳିଥିଲେ । ସେତେବେଳେ ଟିମ ଇଣ୍ଡିଆର ଅଧିନାୟକ ଥିଲେ ମହେନ୍ଦ୍ର ସିଂ ଧୋନୀ । ଆଉ ଏଥିପାଇଁ ଫ୍ୟାନମାନେ ଧୋନୀଙ୍କ ଉପରେ ନିଜ ରାଗ ଝାଡିଛନ୍ତି । ଇରଫାନଙ୍କ କ୍ୟାରିୟର ବର୍ବାଦ ହେବା ପଛରେ ଧୋନୀଙ୍କ ହାତ ଥିବା ସେମାନେ କହିଛନ୍ତି ।

ଜଣେ ଫ୍ୟାନ ଧୋନୀଙ୍କୁ ଦୋଷ ଦେଇ ଏକ ଟ୍ୱିଟ କରିଛନ୍ତି । ଏହି ଟ୍ୱିଟ ସୋସିଆଲମିଡିଆରେ ଖୁବ ଭାଇରାଲ ହେଉଛି । ଟ୍ୱିଟରେ ଫ୍ୟାନ ଲେଖିଥିଲେ, ଯେତେବେଳେ ବି ମୁଁ ଇରଫାନଙ୍କୁ ଲିଜେଣ୍ଡ କ୍ରିକେଟ ଲିଗରେ ଦେଖେ, ସେତେବେଳେ ଧୋନୀ ଆଉ ତାଙ୍କ ମ୍ୟାନେଜମେଣ୍ଟ ଉପରେ ରାଗ ଲାଗେ । ବିଶ୍ୱସ ହେଉନି କି ଇରଫାନ ମାତ୍ର ୨୯ ବର୍ଷ ବୟସରେ ନିଜର ଶେଷ ମ୍ୟାଚ ଖେଳିଥିଲେ । ଇରଫାନଙ୍କ ସହ ଏମିତି ହେବାର ନଥିଲା ।

ହେଲେ ଇରଫାନ ଏହାକୁ ନେଇ ଏମିତି ଉତ୍ତର ଦେଇଛନ୍ତି, ଯାହା ସମସ୍ତଙ୍କ ହୃଦୟ ଜିତିନେଇଛି । ଟ୍ୱିଟର ଜବାବରେ ଇରଫାନ କହିଛନ୍ତି କାହାକୁ ଦୋଷ ଦେବା ଠିକ ନହେଁ, ତୁମ ଭଲପାଇବା ପାଇଁ ଧନ୍ୟବାଦ । ଏହାସହ ହାର୍ଟର ଇମୋଜୀ ମଧ୍ୟ ଦେଇଥିଲେ । ଏହି ଟ୍ୱିଟରେ ଫ୍ୟାନଙ୍କ ଭାବନରେ ମଧ୍ୟ କୌଣସି ଆଘାତ ଲାଗିନଥିଲା ।

ଚାଲିଥିବା ଲିଜେଣ୍ଡ କ୍ରିକେଟ ଲିଗରେ ଭିଲୱାରା କିଙ୍ଗସର ଅଧିନାୟକ ରହିଛନ୍ତି ଇରଫାନ ପଠାନ । ସେ ବାରବାଟୀରେ ନିଜ ଦମଦାର ପ୍ରଦର୍ଶନ କରିଛନ୍ତି । ବାରବାଟୀର ପ୍ରଥମ ମ୍ୟାଚରେ ସେ ୨୩ ରନ କରିଥିଲେ, ଯେଉଁଥିରେ ୨ ଛକା ଓ ୨ ଚୌକା ରହିଛି । ସେହିପରି ଦ୍ୱିତୀୟ ମ୍ୟାଚରେ ୩ ଛକା ଓ ୧ ଚୌକା ବଳରେ ୩୪ ରନ କରିଥିଲେ । ଯାହା ଦର୍ଶକଙ୍କ ହୃଦୟ ଜିତିଥିଲା ।

ପଠାନ ଭାରତ ପାଇଁ ୨୯ ଟି ଟେଷ୍ଟ ମ୍ୟାଚ ଖେଳି ୧୦୦ଟି ୱିକେଟ ନେଇଥିଲେ ଆଉ ୧, ୧୦୫ ରନ କରିଥିଲେ । ସେହିପରି ୧୨୦ ଦିନିକିଆ ଖେଳି ୧୭୩ ୱିକେଟ ନେବା ସହ ୧୫୪୪ ରନ କରିଥିଲେ । ଟି-୨୦ରେ ୨୪ ମ୍ୟାଚ ଖେଳି ୨୮ଟି ୱିକେଟ ନେଇଥିଲେ । ସେ ୨୦୦୭ ଟି-୨୦ ବିଶ୍ୱକପ ବିଜେତା ଦଳର ସଦସ୍ୟ ମଧ୍ୟ ଥିଲେ ।