ମାହିଙ୍କ ମନ ଜିଣିଲା କୁନିଝିଅ…

388

କନକ ବ୍ୟୁରୋ : ଆଇପିଏଲରେ ପୁଣି ଥରେ ଚେନ୍ନାଇ ସୁପରକିଙ୍ଗ୍ସର ଚମକ ଦେଖିବାକୁ ମିଳିଛି । ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ପ୍ରଥମ କ୍ୱାଲିଫାୟରକୁ ଜିତିନେଇଛି ଚେନ୍ନାଇ । ରବିବାର ଦିଲ୍ଲୀ-କ୍ୟାପିଟାଲ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ମୈଦାନ ଭିତରେ ଏବଂ ବାହାରେ ଅନେକ ରଙ୍ଗ ଦେଖିବାକୁ ମିଳିଛି । ଚେନ୍ନାଇର ବିଜୟକୁ ନେଇ ଅନେକଙ୍କ ମୁହଁରେ ହସର ଲହରୀ ଥିବା ବେଳେ ଅନେକଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଥିଲା । ଏହାରି ମଧ୍ୟରେ ଷ୍ଟାଡିୟମରେ ଏପରି ଏକ ଘଟଣା ଘଟିଥିଲା, ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା ।
ମହେନ୍ଦ୍ର ସିଂ ଧୋନି ଯେତେବେଳେ ଫିଲ୍ଡରେ ଛକା-ଚୌକା ବର୍ଷା କରୁଥିଲେ ସେତେବେଳେ ଷ୍ଟାଡିୟମରେ ଚେନ୍ନାଇ ସୁପରକିଙ୍ଗ୍ସର ଜର୍ସି ପିନ୍ଧି ବସିଥିବା କୁନି ଝିଅଟି ଚେନ୍ନାଇ ବିଜୟ ପାଇଁ ଭଗବାନଙ୍କ ପାଖରେ ପ୍ରାଥନା କରୁଥିଲା । ଆଉ ଶେଷରେ ଚେନ୍ନାଇର ବିଜୟ ପରେ ଖୁସିରେ ଭାବବିହୋଳିତ ହୋଇ କାନ୍ଦିପକାଇଥିଲା । ଯାହା ସମସ୍ତ ଦର୍ଶକଙ୍କ ସମେତ ମାହିଙ୍କ ଧ୍ୟାନ ମଧ୍ୟ ଆକର୍ଷଣ କରିଥିଲା । ଏହା ସହିତ ମ୍ୟାଚରେ ବିଜୟ ହାସଲ କରିବା ପରେ ମହେନ୍ଦ୍ର ସିଂ ଧୋନି ଷ୍ଟାଡିୟମରେ ଉପସ୍ଥିତ ସେହି କୁନି ପ୍ରସଂସକକୁ ଏକ ବଲରେ ଅଟୋଗ୍ରାଫ୍ ଦେଇ ଉପହାର ପ୍ରଦାନ କରିଥିଲେ । ମାହିଙ୍କ ଏପରି ଅନ୍ଦାଜ୍ ସମସ୍ତଙ୍କ ମନକୁ କିଣି ନେଇଛି । ଷ୍ଟାଡିୟରେ ଘଟଥିବା ଏହିସବୁ ରୋମାଞ୍ଚକର ଘଟଣାର ଭିଡିଓ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ।
ଗତକାଲି ମ୍ୟାଚରେ ଧୋନିଙ୍କ ଜବରଦସ୍ତ ପ୍ରଦର୍ଶନ ନେଇ ସୋସିଆଲ ମିଡିଆରେ ପ୍ରସଂସକ ଧୋନିଙ୍କ ବେସ୍ ପ୍ରସଂସା ମଧ୍ୟ କରୁଛନ୍ତି । କିଏ ‘କିଙ୍ଗ୍ ଇଜ୍ ବ୍ୟାକ୍’… ‘ବାପ୍ ହମେସା ବାପ୍ ହୋତା ହେ’ ଭଳି ଅନେକ ମିମ୍ସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।