ପାରାମିଲିଟାରୀର ‘ଭିକ୍ଟର’ ଫୋର୍ସରେ ପ୍ରଶିକ୍ଷଣ ନେବେ ଧୋନୀ । ୧୫ଦିନ ତାଲିମ ସହ କାଶ୍ମୀରରେ ମୁତୟନ ହେବେ ଲେଫ୍ଟେନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ସିଂ ଧୋନୀ

କ୍ରିକେଟରୁ ବିରତି ନେଇ ସେନାରେ କାଟିବେ ସମୟ

215

କନକ ବ୍ୟୁରୋ: ଜମ୍ମୁକାଶ୍ମୀର ସେନାଙ୍କ ସହ ୧୫ ଦିନର ସମୟ କାଟିବେ ମହେନ୍ଦ୍ର ସିଂହ ଧୋନୀ । ଆସନ୍ତା ୩୧ରୁ ଅଗଷ୍ଟ ୧୫ ତାରିଖ ଯାଏଁ ୧୫ଦିନ ଧରି ଜମ୍ମୁକାଶ୍ମୀର ସୈନିକଙ୍କ ସହ ରହିବେ ଧୋନୀ । ଏହି ସମୟରେ ସେ ୧୦୬ ଟେରିଟୋରିୟାଲ ଆର୍ମି ବାଟାଲିୟନର ‘ଭିକ୍ଟର ଫୋର୍ସ’ ସହ ୧୫ ଦିନ ସମୟ କାଟିବେ । ଏହି ୟୁନିଟ କାଶ୍ମୀରରେ ମୁତୟନ ଅଛି । ଏହି ସମୟରେ ଧୋନୀ ପାଟ୍ରୋଲିଙ୍ଗ କରିବା ସହ ଗାର୍ଡ ଓ ପୋଷ୍ଟ ଡ୍ୟୁଟ କରିବେ । ପୂର୍ବରୁ ୩୮ ବର୍ଷିୟ ଧୋନୀ ଦୁଇ ମାସ ପାଇଁ କ୍ରିକେଟରୁ ଅନୁପସ୍ଥିତ ରହିବା ପାଇଁ ବିିସିଆଇକୁ ଜଣାଇଥିଲେ ।

ୱେଷ୍ଟଇଣ୍ଡିଜ ଗସ୍ତ ବେଳେ ମଧ୍ୟ ଧୋନୀ ଦଳରେ ରହିବେ ନାହିଁ । ମହେନ୍ଦ୍ର ସିଂହ ଧୋନୀଙ୍କୁ ୨୦୧୧ ମସିହାରେ ଲେଫ୍ଟନାଂଟ କର୍ଣ୍ଣେଲ ର‌୍ୟାଙ୍କ ମିଳିଥିଲା । ସେତେବେଳେ ମଧ୍ୟ ତାଙ୍କୁ ଟ୍ରେନିଙ୍ଗ ଦିଆଯାଇଥିଲା । ଏବେ କ୍ରିକେଟରୁ ବିରତି ରହି ପାରାମିଲିଟାରୀ ଟ୍ରେନିଂ ନେବା ପାଇଁ ଧୋନୀ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ଅନୁମତି ଲୋଡିଥିଲେ ।

ଯେଉଁଥିପାଇଁ ତାଙ୍କୁ ପୂର୍ବରୁ ଅନୁମତି ମିଳିଛି । ଧୋନୀ ଏବେ ନିଜର ଶକ୍ତି, ସାହାସ, ସାମର୍ଥ୍ୟ ଓ ମନବଳ ବୃଦ୍ଧି ପାଇଁ ଉଦ୍ୟମରତ । ବିଶ୍ୱକପରେ ଧୀମା ବ୍ୟାଟିଂ କରି ସମାଲୋଚନାର ସ୍ୱୀକାର ହୋଇଥିବା ଏହି ମହାନ ଖେଳାଳୀଙ୍କ କ୍ରିକେଟ କ୍ୟାରିୟର ଶେଷ ପର୍ଯ୍ୟାୟରେ ରହିଛି । ତାଙ୍କ ଅବସର ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଉଥିବାବେଳେ ଧୋନୀ କିନ୍ତୁ ଏ ଦିଗରେ କୌଣସି ସ୍ପଷ୍ଟ ଇଙ୍ଗିତ ଦେଇନାହାନ୍ତି ।