ଆଇପିଏଲ ପୂର୍ବରୁ ଉତ୍ତେଜନା । ଧୋନୀ-ରୋହିତଙ୍କୁ ନେଇ ପ୍ରଂଶସକଙ୍କ ମଧ୍ୟରେ ମାରପିଟ୍ । ସେହୱାଗ କହିଲେ, ମାଡଗୋଳ କରନି, ଆଇପିଏଲର ଅଲଗା ଅଲଗା ଖେଳୁଛନ୍ତି ସତ, କିନ୍ତୁ ଟିମ୍ ଇଣ୍ଡିଆ ହେଉଛି ଗୋଟିଏ ଦଳ ।

780

କନକ ବ୍ୟୁରୋ : ଆଇପିଏଲ ଆରମ୍ଭ ହେଲେ କ୍ରିକେଟ ମୈଦାନରେ ଯେମିତି ଜୋସ୍ ଦେଖିବାକୁ ମିଳେ, ପ୍ରଂଶସକଙ୍କ ମଧ୍ୟରେ ମଧ୍ୟ ସେତିକି ଉତ୍ସାହ ଭରି ହୋଇଯାଏ । ନିଜ ପ୍ରିୟ ଦଳ ସପକ୍ଷରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ମଧ୍ୟ ଦେଖିବାକୁ ମିଳେ । କିନ୍ତୁ ଚଳିତବର୍ଷ ଆଇପିଏଲ ଆରମ୍ଭ ନହେଉଣୁ ଆରମ୍ଭ ହୋଇଗଲାଣି ଉତେଜନା । ଏହି ଉତେଜନା କେବଳ ଯୁକ୍ତିତର୍କରେ ସୀମିତ ରହିନି ବରଂ ହାତାହାତି ହୋଇଛନ୍ତି ଦୁଇ ପକ୍ଷ ।

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଏବଂ ଚେନ୍ନାଇ ସୁପରକିଙ୍ଗସର କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ମାରପିଟ୍ । ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର କୋହ୍ଲାପୁର ଜିଲ୍ଲାରେ । ଅବସର ଘୋଷଣା ପରେ ଧୋନୀଙ୍କ ଫ୍ୟାନ୍ସ ତାଙ୍କ ସମ୍ମାନରେ ଏକ ପୋଷ୍ଟର ଧରି ବାହାରିଥିବା ବେଳେ ଅନ୍ୟପଟେ ରୋହିତଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ବିବେଚିତ କରାଯିବା ଖୁସିରେ ପ୍ରଂଶସକମାନେ ଖୁସି ମନାଉଥିଲେ । ଏହି ସମୟରେ କିଛି ଅଜଣା ବ୍ୟକ୍ତି ରୋହିତ ଶର୍ମାଙ୍କ ପୋଷ୍ଟରକୁ ଚିରି ଦେଇଥିଲେ । ଆଉ ଏହା ପରେ ଆରମ୍ଭ ହୋଇଯାଇଥିଲା ମାରପିଟ୍ ।

ତେବେ ଏହି ଘଟଣାକୁ ଟ୍ୱିଟ୍ କରିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ପ୍ରାରମ୍ଭିକ ବ୍ୟାଚ୍ସମ୍ୟାନ୍ ବିରେନ୍ଦ୍ର ସେହୱାଗ୍ । ସେ ଲେଖିଛନ୍ତି, କଣ କରୁଛ ପାଗଳମାନେ । ଖେଳାଳୀମାନେ ନିଜ ଭିତରେ ଭଲ ସମ୍ପର୍କ ରଖିଥାନ୍ତି । କିନ୍ତୁ କିଛି ଫ୍ୟାନ୍ସ ପାଗଳଥାନ୍ତି । ମାରପିଟ୍ କରନ୍ତୁ ନାହିଁ । ଟିମ୍ ଇଣ୍ଡିଆକୁ ଗୋଟିଏ ଦଳ ଭାବେ ମନେ ରଖନ୍ତୁ ।

ତେବେ ଆସନ୍ତା ସେପ୍ଟେମ୍ବର ୧୯ତାରିଖରୁ ଆଇପିଏଲ ଆରମ୍ଭ ହେବାକୁ ଯାଉଛି । ୟୁଏଇ ଠାରେ କରୋନା କଟକଣା ଭିତରେ ମ୍ୟାଚ୍ ଖେଳାଯିବ । ଆଉ ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ହିଁ ଖେଳାଯିବ ।