ଦେଶର ୪୬ତମ ପ୍ରଧାନବିଚାରପତି ଭାବରେ ନିଯୁକ୍ତ ହେଲେ ଜଷ୍ଟିସ ଗୋଗୋଇ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତିପତ୍ରରେ କଲେ ସ୍ୱାକ୍ଷର

ଦେଶର ୪୬ତମ ପ୍ରଧାନବିଚାରପତି ଭାବରେ ନିଯୁକ୍ତ ହେଲେ ଜଷ୍ଟିସ ଗୋଗୋଇ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତିପତ୍ରରେ କଲେ ସ୍ୱାକ୍ଷର

କନକ ବ୍ୟୁରୋ : ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ହେବେ ଦେଶର ୪୬ତମ ପ୍ରଧାନ ବିଚାରପତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ନିଯୁକ୍ତିପତ୍ରରେ ସ୍ୱାକ୍ଷର କରିଛନ୍ତି। ଆସନ୍ତା ଅକ୍ଟୋବର ୩ ତାରିଖରେ ଜଷ୍ଟିସ ଗୋଗୋଇ ଏହି ଦାୟିତ୍ୱ ଗ୍ରହଣ କରିବେ। ଅକ୍ଟୋବର ୨ ତାରିଖରେ ବର୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଅବସର ଗ୍ରହଣ କରିବେ। ଜଷ୍ଟିସ ଗୋଗୋଇଙ୍କ କାର୍ଯ୍ୟକାଳ ୧୩ ମାସରୁ ଟିକିଏ ଅଧିକ ରହିବ। ସେ ୧୭ ନଭେମ୍ବର ୨୦୧୯ରେ ଅବସର ଗ୍ରହଣ କରିବେ। ତାଙ୍କୁ ପରବର୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିବା ଲାଗି ଜଷ୍ଟିସ ଦୀପକ ମିଶ୍ର ସରକାରଙ୍କୁ ସୁପାରିସ କରିଥିଲେ।

publive-imageସୂଚନାଯୋଗ୍ୟ, ବର୍ତ୍ତମାନର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରି ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତିଙ୍କ ମଧ୍ୟରୁ ଜଷ୍ଟିସ୍ ଗୋଗୋଇ ଥିଲେ ଅନ୍ୟତମ। ସୁପ୍ରିମକୋର୍ଟର ‘ସ୍ୱାଧୀନତା’ ପାଇଁ ସେ ଅନ୍ୟ ୩ ଜଣ ବିଚାରପତିଙ୍କ ସହ ମିଶି ସ୍ୱର ଉତ୍ତୋଳନ କରିଥିଲେ। ତେଣୁ ତାଙ୍କର ନୁଆ ନିଯୁକ୍ତି ଉପରେ ସମସ୍ତଙ୍କର ନଜର ଥିଲା। ତେବେ ପୂର୍ବରୁ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ସ୍ପଷ୍ଟ କରିଥିଲେ ଯେ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ନେଇ କୌଣସି ବିବାଦ ସୃଷ୍ଟି ହେବା ସରକାର ଚାହାନ୍ତି ନାହିଁ। ପରଂପରା ଅନୁଯାୟୀ ପ୍ରଧାନ ବିଚାରପତି ଦୀପକ ମିଶ୍ର ତାଙ୍କର ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ଗୋଗୋଇଙ୍କ ନାମ ଗତ ୪ ତାରିଖ ଦିନ ସରକାରଙ୍କୁ ସୁପାରିସ କରିଥିଲେ। ପ୍ରଧାନ ବିଚାରପତିଙ୍କ ସୁପାରିସକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ।

publive-image୧୯୫୪ ନଭେମ୍ବର ୧୮ ତାରିଖରେ ଜଷ୍ଟିସ ଗୋଗୋଇ ଆସାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା କେଶବ ଚନ୍ଦ୍ର ଗୋଗୋଇ ଆସାମର ମୁଖ୍ୟମନ୍ତ୍ରୀ ଥିଲେ। ଜଷ୍ଟିସ୍ ଗୋଗୋଇ ୧୯୭୮ରେ ହାଇକୋର୍ଟ ବାରରେ ସାମିଲ ହୋଇଥିଲେ। ଗୌହାଟୀ ହାଇକୋର୍ଟରୁ ସେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ। ୨୦୦୧ ଫେବ୍ରୁଆରି ୨୮ରେ ସେ ଗୌହାଟୀ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ୨୦୧୦ ସେପ୍ଟେମ୍ବର ୯ ତାରିଖରେ ଜଷ୍ଟିସ୍ ଗୋଗୋଇ ପଂଜାବ ଓ ହରିୟାଣା କୋର୍ଟକୁ ବଦଳି ହୋଇଥିଲେ ଏବଂ ୨୦୧୧ ଫେବ୍ରୁଆରି ୧୨ରେ ସେ ଏହି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ୨୦୧୨ ଏପ୍ରିଲ୍ ୨୩ରେ ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe