ଆରଏସଏସ୍ ମୁଖ୍ୟଙ୍କ ବୟାନକୁ ନେଇ ଘେରିଲେ ରାହୁଲ ଗାନ୍ଧୀ: କହିଲେ, ସତ ଜାଣନ୍ତି ଭାଗବତ, ହେଲେ ସାମ୍ନା କରିବାକୁ ଡରନ୍ତି

ପୂର୍ବରୁ ମୋହନ ଭାଗବତ କହିଥିଲେ, ଚୀନ ଅନୁପ୍ରବେଶ କରେ, ଏବେ ବି କରୁଛି ଅନୁପ୍ରବେଶ ଉଦ୍ୟମ

226

କନକ ବ୍ୟୁରୋ: ଚୀନ ପ୍ରସଙ୍ଗକୁ ନେଇ ପୁଣି କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ହେଲେ ଏଥର ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବୟାନ ଆଳରେ ମୋଦି ସରକାର ଓ ସଂଘକୁ ସିଧା ଟାର୍ଗେଟ କରିଛନ୍ତି । ଭାଗତବତଙ୍କ ବୟାନକୁ ରି ଟୁଇଟ କରି ରାହୁଲ ଲେଖିଛନ୍ତି. ମୋହନ ଭାଗବତଙ୍କୁ ସତ ଜଣା ଅଛି ହେଲେ ଏହାକୁ ସାମ୍ନା କରିବାକୁ ସେ ଭୟ କରୁଛନ୍ତି । ତା ତଳକୁ ରାହୁଲ ଲେଖିଛନ୍ତି, ଚୀନ ଆମର ଜମିକୁ ବଳପୂର୍ବକ ଅକ୍ତିଆର କରିନେଇଛି, ଆଉ ଭାରତ ସରକାର ଓ ଆରଏସଏସ ଏହା ହେବାକୁ ଦେଇଛନ୍ତି ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଏହି ଟୁଇଟ ଚୀନକୁ ନେଇ ମୋହନ ଭାଗବତ ଦେଇଥିବା ବୟାନର ପ୍ରତିକ୍ରିୟା । ବିଜୟା ଦଶମୀରେ ନାଗପୁର ସ୍ଥିତ ସଂଘର ମୁଖ୍ୟ କାର୍ଯ୍ୟାଳୟରେ ଶସ୍ତ୍ର ପୂଜା କରିବା ପରେ ସଭାକୁ ସମ୍ବୋଧିତ କରିଥିଲେ ମୋହନ ଭାଗବତ । ସମ୍ବୋଧନରେ ସେ କହିଥିଲେ, କରୋନା କାଳରେ ଚୀନ ନିଜ ସାମରିକ ବଳର ଗର୍ବ ଓ ଅଭିମାନରେ ଆମ ସୀମାକୁ ଅନୁପ୍ରବେଶ କରିଥିଲା । ସୀମାରେ ଚୀନ ଯେଭଳି ବ୍ୟବହାର ଦେଖାଇଲା, ଏବେ ବି ସେହି ଆଚରଣ ଜାରି ରଖିଛି । କେବଳ ଆମ ସହ ସାରା ଦୁନିଆଁ ସହ ଚୀନ ଏଭଳି ବ୍ୟବହାର ଦେଖାଉଛି । ଚୀନର ବିସ୍ତାରବାଦୀ ନୀତିକୁ ନେଇ ସାରା ବିଶ୍ୱ ଅବଗତ ବୋଲି କହିଥିଲେ ଭାଗବତ ।