ମହେନ୍ଦ୍ର ସିଂ ଧୋନୀ କରିବେ କୁକୁଡ଼ା ଚାଷ: କଳା କଡକନାଥ କୁକୁଡା ଚାଷ ପାଇଁ ୨ ହଜାର ଚିଆଁ କରିଛନ୍ତି ବରାଦ; ଆଇପିଏଲ ସରିବା ପରେ ଚାଷ ଆଡକୁ ମନ ବଳାଉଛନ୍ତି ବିଶ୍ୱ ବିଜୟୀ କ୍ୟାପଟେନ୍

899

କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଦଳର ସବୁଠୁ ଅଧିକ ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କରିବେ କୁକୁଡା ଚାଷ । କଥାଟି ଶୁଣି ଆପଣଙ୍କୁ ଅଜବ ଲାଗିପାରେ । ମାତ୍ର ଏହା ସତ । ଖୁବ୍ଶୀଘ୍ର ଧୋନୀଙ୍କ ପ୍ରସ୍ତାବିତ ଜୈବିକ କୁକୁଡା ଫାର୍ମରୁ ମିଳିବ କଳା କଡକନାଥ କୁକୁଡା । ରାଂଚିରେ ପ୍ରସ୍ତୁତ ଫାର୍ମରେ କୁକୁଡା ଚାଷ ଆରମ୍ଭ କରିବେ ଧୋନୀ । ଏଥିପାଇଁ କାମ ଆରମ୍ଭ କରିଛନ୍ତି ଧୋନୀ । ନିକଟରେ ଆଇପିଏଲ୍ କାର୍ଯ୍ୟକ୍ରମ ସାରି ସ୍ୱଦେଶ ଫେରିଛନ୍ତି ମହେନ୍ଦ୍ର ସିଂ ଧୋନୀ । ଏହାରି ଭିତରେ ୨ ହଜାର କଳା କଡକନାଥ ଚିଆଁ ବରାଦ କରିଛନ୍ତି । ଏହି ପ୍ରଜାତିର ବିରଳ କୁକୁଡାର ମାର୍କେଟରେ ରହିଛି ବେଶ୍ ଚାହିଦା ।

କଡକନାଥ କୁକୁଡାରେ ଥିବା କଳା ରକ୍ତ ଓ କଳା ମାଂସ ଖାଇବାକୁ ସୁସ୍ୱାଦୁ ଲାଗିଥାଏ । ଏପରିକି ଏହି କୁକୁଡାରେ ଫ୍ୟାଟ୍ ଓ କୋଲେଷ୍ଟୋରଲ ବଢାଉ ନଥିବାରୁ ଲୋକଙ୍କ ଏହାର ମାଂସ ଖାଇବା ପ୍ରତି ଆଗ୍ରହ ରହିଛି । ଏହି ବିରଳ ପ୍ରଜାତିର କଡକନାଥ କୁକୁଡ଼ା ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ବେଶୀ ମାତ୍ରାରେ ଦେଖିବାକୁ ମିଳେ । ତେଣୁ ଏହାର ବିଶେଷ ଚାହିଦାକୁ ଦେଖି ମହେନ୍ଦ୍ର ସିଂ ଧୋନୀ କଡକନାଥ କୁକୁଡର ଚାଷ ପାଇଁ ଆଗ୍ରହୀ ଥିବା ଜଣାପଡିଛି । କୁକୁଡା ପାଇଁ ଝାବୁଆରେ ଥିବା କଡକନାଥ ମୁର୍ଗା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକଙ୍କୁୁ ଯୋଗାଯୋଗ କରିଛନ୍ତି ଧୋନୀ ।