ନୃଶଂସତା ଆଗରେ ହାର୍ ମାନିଲା ମାନବିକତା ! ପଞ୍ଚାୟତ ଭବନ ସାମ୍ନାରେ ଶୌଚ କରିବାକୁ ନେଇ ଦୁଇ ଦଳିତ ପିଲାଙ୍କୁ ପିଟିପିଟି ମାରିଦେଲେ ଅଭିଯୁକ୍ତ । 

147

ଆଜିର ସମାଜରେ ମଣିଷ ମଧ୍ୟରେ ମାନବିକତା କମ୍ ଏବଂ ନୃଶଂସତା ଅଧିକ ଦେଖିବାକୁ ମିଳୁଛି । ଆଧ୍ୟାତ୍ମିକ ଏବଂ ଆବେଗର ବଡ଼ ବଡ଼ ଜ୍ଞାନ ଦେଉଥିବା ମଣିଷ ଛୋଟ କଥାରେ ଆକ୍ରମଣାତ୍ମକ ହୋଇଉଠୁଛି ଏବଂ ତୁମୁଳ କାଣ୍ଡ ଭିଆଉଛି । ଏଭଳି ଏକ ଘଟଣା ହୋଇଛି ମଧ୍ୟପ୍ରଦେଶର ଶିବପୁରୀ ଅଞ୍ଚଳରେ । ଏଠାରେ ୨ ଜଣ ନିରୀହ ଦଳିତ ପିଲାଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ହତ୍ୟାର କାରଣ ହେଉଛି ଦୁହେଁ ପଞ୍ଚାୟତ ଭବନ ସାମ୍ନାରେ ଶୌଚ କରୁଥିଲେ । ୧୧ ଏବଂ ୧୨ ବର୍ଷର ଏହି ଦୁଇଟି ପିଲାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଦୁହିଁଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଏହି ମାମଲାରେ ବସପା ମୁଖ୍ୟ ମାୟାବତୀ ଟ୍ୱିଟ୍ କରି କେନ୍ଦ୍ରର ବିଜେପି ଏବଂ ରାଜ୍ୟର କଂଗ୍ରେସ ସରକାରଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲେ । ସେ ହତ୍ୟାକାରୀଙ୍କୁ ପାଇଁ ଫାଶଦଣ୍ଡ ଦେବାପାଇଁ ସରକାରଙ୍କୁ କହିଛନ୍ତି ।

ଘଟଣାଟି ଶିବପୁରୀ ଭାବଖେଡି ଗାଁରେ ବୁଧବାର ସକାଳେ ଘଟିଛି । ୨ ଦଳିତ ପିଲାଙ୍କୁ ପଞ୍ଚାୟତ ଭବନ ସାମ୍ନାରେ ଶୌଚ କରିବାକୁ ନେଇ ୨ ଜଣ ବ୍ୟକ୍ତି ଖୁବ୍ ପିଟିଥିଲେ । ମାଡ଼ ଏତେ ଗଭୀର ଥିଲା ଯେ ନିରୀହଙ୍କ ପ୍ରାଣ ଚାଲିଯାଇଥିଲା । ଘଟଣା ପରେ ସିରସୋଦ୍ ପୋଲିସ୍ ଅଭିଯୁକ୍ତ ହାକିମ୍ ଯାଦବ ଏବଂ ରାମେଶ୍ୱର ଯାଦବଙ୍କୁ ଗିରଫ କରିଛି । ରୋଶନ୍ ବାଲ୍ମିକୀ (୧୨) ଏବଂ ଅଭିନାଶ ବାଲ୍ମିକୀ (୧୦) ଙ୍କୁ ଏଥିରେ ଗମ୍ଭୀର ଆଘାତ ପହଂଚିଥିଲା । ପୀଡିତଙ୍କୁ ଡାକ୍ତରଖାନାରେ ଭର୍ତ୍ତୀ କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୀଡିତଙ୍କ ପିତାଙ୍କ କହିବାନୁସାରେ ଜାତିଗତ ଆଧାରରେ ତାଙ୍କ ଉପରେ ଭେଦଭାବ କରାଯାଉଥିଲା କିନ୍ତୁ ଏଭଳି ଦୁଇପିଲାଙ୍କୁ ମଧ୍ୟ ମାରିଦେବେ ଜାଣିନଥିଲୁ । ତେବେ ପୋଲିସ୍ ଦୁଇ ଅଭିଯୁକ୍ତଙ୍କ ଉପରେ ହତ୍ୟା ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ଅଧିନିୟମ ମାଧ୍ୟମରେ ମାମଲା ଜାରୀ କରିଛି ।