କନକ ବ୍ୟୁରୋ : ନିର୍ବାଚନୀ ହିଂସାକୁ ନେଇ ବିଜେଡି ଉପରେ ବିଜେପି ବର୍ଷିବା ପରେ ଏହାର ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ପ୍ରେସମିଟରେ ସସ୍ମିତ କହିଛନ୍ତି, ବିଜେଡି ସବୁବେଳେ ଅହିଂସାରେ ବିଶ୍ୱାସ କରେ । ଶାନ୍ତି, ମୈତ୍ରୀ ଓ ସଦଭାବରେ ବିଶ୍ୱାସ କରେ । ନିର୍ବାଚନରେ ହିଂସାର ସ୍ଥାନ ନାହିଁ, ଓଡ଼ିଶାବାସୀ ଶାନ୍ତିପ୍ରିୟ, ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ଶାନ୍ତିପ୍ରିୟ । କିନ୍ତୁ ନିର୍ବାଚନ ଆସିଲେ ରକ୍ତମୁଖା ହୁଏଯାଏ ବିଜେପି । ଆଉ ଏହାର ଅନେକ ଉଦାହରଣ ଦେଖିଛନ୍ତି ଓଡ଼ିଶାବାସୀ । ଯେଉଁଥିପାଇଁ ରାଜ୍ୟବାସୀ ବାରମ୍ବାର ବିଜେପିକୁ ପ୍ରତ୍ୟାଖାନ କରୁଛନ୍ତି ।
ବିଜେପୁର ଉପ-ନିର୍ବାଚନ ସମୟରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏଥିରେ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ଓ ଯୁବମୋର୍ଚ୍ଚା ସଭାପତି ଗିରଫ ହୋଇ ଜେଲ ଯାଇଥିଲେ । କିନ୍ତୁ ବିଜେପି ପ୍ରଶ୍ନ କରୁଛି ବିଜେଡି ନିର୍ବାଚନୀ ହିଂସା କରୁଛି । ପିପିଲିରେ ଆମ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ କରିବା, ଗୋଷାଣୀରେ ସରପଞ୍ଚ ପ୍ରାର୍ଥୀଙ୍କୁ କିଭଳି ବିଜେପି ଆକ୍ରମଣ କରିଥିଲେ ତାହା ରାଜ୍ୟବାସୀ ଦେଖିଛନ୍ତି । ଓଡ଼ିଶାବାସୀ ଭଲ ଭାବେ ଜାଣିଛନ୍ତି ନିର୍ବାଚନରେ ବିଜେପି ରକ୍ତମୁଖା ହୋଇ ହିଂସାକୁ ପ୍ରଶୟ ଦିଏ । ନିର୍ବାଚନୀ ହିଂସାରେ ବିଜେପି ପୂରା ଓସ୍ତାଦ । ଯଦି ନିର୍ବାଚନୀ ହିଂସାରେ ପିଏଚଡି ଦେବାକୁ ପଡିବ ତେବେ ଏହା ବିଜେପିକୁ ଦେବା କିଛି ବଡ କଥା ନୁହେଁ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବିଜେପି ଜାଣିସାରିଲାଣି ଫଳାଫଳ କଣ ହେବ । ଶୋଚନୀୟ ପରାଜୟ ଆଡକୁ ଅଗ୍ରସର ହେଉଥିବା ଜାଣିବା ପରେ ପୁରୁଣା ଟେପ ରେକର୍ଡର ନିର୍ବାଚନୀ ହିଂସା ବଜାଇବା ଆରମ୍ଭ କରିଛଇ ବିଜେପି । କିନ୍ତୁ ନିର୍ବାଚନୀ ହିଂସା କରୁଛି କିଏ?
ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ସରକାରୀ ଅଫିସରଙ୍କୁ ଖୋଲାଖୋଲି ଧମକ ଦେଉଛନ୍ତି । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସରକାରୀ କର୍ମଚାରୀଙ୍କୁ ମାଡ ମାରୁଛନ୍ତି । ସାଂସଦ ଜୁଏଲ ଓରାମ ମହିଳାଙ୍କ ପ୍ରତି ଅସଦାଚରଣ କରୁଛନ୍ତି, ଅସଭ୍ୟ ଭାଷାରେ ଗାଳି କରୁଛନ୍ତି । କିନ୍ତୁ ଏ ବାବଦରେ ବିଜେପି ପୂରା ଚୁପ୍ । ପରାଜୟ ଜାଣିବା ପରେ ନିର୍ବାଚନୀ ହିଂସାର ଆଳ ଖୋଜୁଛି ବିଜେପି । ଯେଉଁଥିପାଇଁ ନିର୍ବାଚନୀ ହିଂସାର ନାରା ଦେଇ ବିଜେଡିକୁ ଗାଳି ଦେଉଛି ବିଜେପି । ବାରମ୍ବାର ପ୍ରେସମିଟ୍ କରି ମିଛକୁ ସତ କରିବାକୁ ଚେଷ୍ଟା କରୁଛି ବିଜେପି । ନିର୍ବାଚନ ଆସିଲେ ବିଜେପି ଉତ୍ତରପ୍ରଦେଶ ଓ ବିହାର ମଡେଲ ଆପଣାଏ । ଧମକଚମକ ଦେଇ ନିର୍ବାଚନ ପାର ହେବାକୁ ଚେଷ୍ଟା କରନ୍ତି । ଆଉ ଏହି ହିଂସା ଆଚରଣ ଯୋଗୁଁ ଓଡ଼ିଶାବାସୀ ବିଜେପିକୁ ପ୍ରତ୍ୟାଖାନ କରିଥିଲେ, ଏହି ନିର୍ବାଚନରେ ବି ପ୍ରତ୍ୟାଖାନ କରିବେ । ହିଂସାରେ କେବେ ନିର୍ବାଚନ ଜିତିପାରିବେ ନାହିଁ, ରକ୍ତମୁଖା ହୁଅନ୍ତୁ ନାହିଁ । ହିଂସାରେ ଲିପ୍ତ ରହୁଛନ୍ତି ବୋଲି ବାରମ୍ବାର ପରାଜିତ ହେଉଛନ୍ତି । ଆଉ ଏଭଳି କହି ବିଜେପିକୁ କଡା ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।