ରାଜ୍ୟସଭାରେ ଉଠିଲା ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ । ନବୀନଙ୍କ ଉଦାହରଣ ଦେଲେ ସାଂସଦ ସସ୍ମିତ, ପ୍ରଂଶସା କଲେ ଗୃହର ଅଧ୍ୟକ୍ଷ ଭେଙ୍କିୟା ନାଇଡୁ । 

199

କନକ ବ୍ୟୁରା : ମହିଳାଙ୍କୁ ହକ୍ ଦେବାକୁ ସଂସଦରେ ଦାବି ଉଠାଇଲା ବିଜେଡି । କେନ୍ଦ୍ର ସରକାର ଖୁବଶୀଘ୍ର ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ ଦାବି କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ଉଭୟ ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିବାକୁ ଦାବି କରିଛନ୍ତି ସସ୍ମିତ । ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ମହିଳା ସଶକ୍ତିକରଣର କଥା କହୁଥିବା ବେଳେ ମହିଳା ସଂରକ୍ଷଣ ବିଲ୍ କାହିଁକି ପାରିତ କରୁନାହନ୍ତି ସେନେଇ ପ୍ରଶ୍ନ ଉଠାଇଛନ୍ତି ସସ୍ମିତ ।  ଆଉ ଏଥିପାଇଁ ରାଜ୍ୟସଭାରେ ନବୀନ ସରକାରଙ୍କ ଉଦାହରଣ ଦେଇଛନ୍ତି ସସ୍ମିତ ପାତ୍ର ।

ମହିଳା ସଶକ୍ତିକରଣର କଥା ସବୁ ରାଜନୈତିକ ଦଳର ମୁଖ୍ୟ ଏଜେଣ୍ଡା ରହିଥିଲେ ମଧ୍ୟ କେବଳ ନବୀନ ସରକାର ମହିଳା ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଆସିଛନ୍ତି । ଯାହାର ଝଲକ ଗତ ନିର୍ବାଚନ ଗୁଡିକରେ ଦେଖିବାକୁ ମିଳିଛି । ୨୦୧୯ ଲୋକସଭା ନିର୍ବାଚନରେ ୨୧ ଆସନରୁ ୭ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରି ନବୀନ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ । ଏହାଛଡା ପଞ୍ଚାୟତରାଜ ନିର୍ବାଚନ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ କରି ନବୀନ ସରକାର ଅନ୍ୟ ରାଜ୍ୟ ଗୁଡିକ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ଏହାପୂର୍ବରୁ ଉଭୟ ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବିଧାନସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିଥିଲେ ନବୀନ ସରକାର । ଆଉ ଏହି ବିଲକୁ ସଂସଦରେ ପାରିତ କରିବାକୁ ଅଣ୍ଟା ଭିଡିଥିଲା ବିଜେଡି । ଆଉ ଏଥିପାଇଁ ଦେଶର ଅନ୍ୟ ରାଜନୈତିକ ଦଳର ସମର୍ଥନ ମଧ୍ୟ ଲୋଡିଥିଲା । ନବୀନଙ୍କ ଏଭଳି ପ୍ରୟାସକୁ ଦେଶର ଅଧିକାଂଶ ଦଳ ସମର୍ଥନ ମଧ୍ୟ କରିଥିଲେ । ତେବେ ଲୋକସଭାରେ ଏହି ବିଲ୍ ଉପସ୍ଥାପନ ହେବା ପୂର୍ବରୁ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିଥିଲା ।

ଆଉ ଯେତେବେଳେ ସାଧାରଣ ନିର୍ବାଚନ ପରେ ସଂସଦର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି ସେତେବେଳେ ପୁଣିଥରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ ଅଣ୍ଟା ଭିଡିଛି ବିଜେଡି । ଆଉ କେନ୍ଦ୍ର ସରକାର ମଧ୍ୟ ଏହି ବିଲକୁ ସମର୍ଥନ କରିବା ସହ ଖୁବଶୀଘ୍ର ପାରିତ କରନ୍ତୁ ବୋଲି କହିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ଆଉ ରାଜ୍ୟସଭା ସାଂସଦ ଭାବେ ନିଜ ପ୍ରଥମ ଅଭିଭାଷଣରେ ଏଭଳି ପ୍ରସଙ୍ଗ ଉଠାଇଥିବାରୁ ସସ୍ମିତଙ୍କୁ ମଧ୍ୟ ଭୁରି ଭୁରି ପ୍ରଂଶସା କରିଛନ୍ତି ଗୃହର ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ।