କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ କସରତ । ମନ୍ତ୍ରୀ, ସାଂସଦଙ୍କ ଦରମା କାଟିବାକୁ କ୍ୟାବିନେଟରେ ନିଷ୍ପତ୍ତି । ବର୍ଷେ ପାଇଁ କଟିବ ୩୦% ଦରମା, ୨ ବର୍ଷ ବାତିଲ ହେବ ସାଂସଦ ପାଣ୍ଠି

471

କନକ ବ୍ୟୁରୋ: ମହାମାରୀ କରୋନା ବିରୋଧୀ ଲଢେଇ ପାଇଁ ସାଂସଦଙ୍କ ଦରମା କାଟିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଆଗାମୀ ଗୋଟିଏ ବର୍ଷ ଅର୍ଥାତ ୨୦୨୧ ଯାଏଁ ସମସ୍ତ କେନ୍ଦ୍ର ମନ୍ତ୍ରୀ ଓ ସାଂସଦ ୩୦ ପ୍ରତିଶତ କମ୍ ଦରମା ପାଇବେ । ଏଥିପାଇଁ ଆଇନରେ ପରିବର୍ତନ କରିବାକୁ ଅଧ୍ୟାଦେଶ ଆଣିବେ ସରକାର । ଏଥିସହ ଆଗାମୀ ୨ ବର୍ଷ ପାଇଁ ଏମପି ଲାଡ ଫଣ୍ଡକୁ ବାତିଲ କରିଦିଆଯାଇଛି ।

ମନ୍ତ୍ରୀ, ସାଂସଦଙ୍କ ଦରମା କାଟିଲେ ସରକାର । ଆଗାମୀ ୧ ବର୍ଷ ପାଇଁ ୩୦% କଟିବ ଦରମା । ବିଶ୍ୱ ମହାମାରୀ କରୋନା ସଂକ୍ରମଣ ବିରୋଧୀ ଲଢେଇ ପାଇଁ ଜୋରଦାର ପ୍ରସ୍ତୁତି । ସାଂସଦଙ୍କ ଦରମା କାଟିବାକୁ ନିଷ୍ପତ୍ତି କଲେ ସରକାର । ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ମନ୍ତ୍ରୀ ଓ ସାଂସାଦ ମାନଙ୍କ ଦରମା କାଟିବାକୁ ନିଷ୍ପତି କରିଛି କେନ୍ଦ୍ର କ୍ୟାବିନେଟ । ଫଳରେ ଆଗାମୀ ଗୋଟିଏ ବର୍ଷ ଅର୍ଥାତ ୨୦୨୧ ଯାଏଁ ସମସ୍ତ କେନ୍ଦ୍ର ମନ୍ତ୍ରୀ ଓ ସାଂସଦ ୩୦ ପ୍ରତିଶତ କମ୍ ଦରମା ପାଇବେ । ଏଥିପାଇଁ ଆଇନରେ ପରିବର୍ତନ କରିବାକୁ ଅଧ୍ୟାଦେଶ ଆଣିବେ ସରକାର । ଏପରିକି ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଓ ରାଜ୍ୟପାଳମାନେ ମଧ୍ୟ ନିଜ ଆଡୁ ୩୦ ପ୍ରତିଶତ କମ୍ ଦରମା ନେବାକୁ ସମ୍ମତି ଜଣାଇଛନ୍ତି ।

ଏହାବାଦ ଆଗାମୀ ୨ ବର୍ଷ ପାଇଁ ଏମପି ଲାଡ ଫଣ୍ଡକୁ ବାତିଲ କରିଦିଆଯାଇଛି । ସରକାର କରୋନା ବିରୋଧୀ ଲଢେଇ ପାଇଁ କରିଥିବା କନସୋଲିଡେଟ୍ ଫଣ୍ଡକୁ ଏହି ଟଙ୍କା ଯିବ । ଅର୍ଥାତ ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷପାଇଁ ଏମପି ଲାଡ ଫଣ୍ଡ ଅର୍ଥ ଏହି ପାଣ୍ଠିରେ ଜମାହେବ । ଫଳରେ ମୋଟ୍ ୭ ହଜାର ୯୦୦ କୋଟି ଟଙ୍କା କନସୋଲିଡେଟ ଫଣ୍ଡକୁ ଆସିପାରିବ ବୋଲି କହିଛନ୍ତି ପ୍ରକାଶ ଜାଭଡେକର ।

ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମାନଙ୍କ ଚିକିତ୍ସାଠାରୁ ଆରମ୍ଭ କରି ସନ୍ଦିଗ୍ଧ ସଂକ୍ରମିତଙ୍କୁ ଚିହ୍ନଟ କରିବା ଓ ନମୁନା ପରୀକ୍ଷା କରିବା ବ୍ୟୟବହୁଳ । ସେହିପରି ସରକାରୀ କଟକଣା ଫଳରେ ଲୋକେ ହାଇରାଣ ହେଉଥିବାରୁ ଜନକଲ୍ୟାଣକାରୀ ଯୋଜନାରେ ସରକାରୀ ଖର୍ଚ୍ଚ ବଢିଛି । ଏହିସବୁ ଖର୍ଚ୍ଚ ତୁଲାଇବା ସହ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସରକାର ଯେଉଁ ଅର୍ଥର ଆବଶ୍ୟକ କରୁଛନ୍ତି ତାକୁ ଏହିଥିରୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ।