ଉତ୍ତର ପ୍ରଦେଶ ବିଜେପିରେ ଆଉଜଣେ ବିଦ୍ରୋହୀ ସାଂସଦ, ପୁଅକୁ ଟିକେଟ ଦେବାକୁ ନେଇ କହିଲେ ଏଭଳି କଥା

259

କନକ ବ୍ୟୁରୋ : ଉତ୍ତ ପ୍ରଦେଶରେ ବିଧାନସଭା ନିର୍ବାଚନ ତାରିକ ଯେତେ ପାଖେଇ ଆସୁଛି ବିଜେପିରେ ବିଦ୍ରୋହୀମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗଣ୍ଡା ଗଣ୍ଡା ବିଧାୟକ ଓ ମନ୍ତ୍ରୀ ଦଳ ଛାଡିସାରିଥିବା ବେଳେ ଏବେ ପୁଣିଜଣେ ବିଜେପି ସାଂସଦ ଦଳ ଛାଡିବାକୁ ମୁଣ୍ଡ ଟେକିଛନ୍ତି ।

ଗୋଟେପଟେ ବିଜେପି ବାରମ୍ବାର ସମାଜବାଦୀ ପାର୍ଟି ଉପରେ ପରିବାରବାଦର ଅଭିଯୋଗ ଆଣୁଥିବା ବେଳେ ଏବେ ଖୋଦ ବିଜେପି ସାଂସଦ ରୀତା ବହୁଗୁଣା ଜୋଶୀ ନିଜ ପୁଅକୁ ବିଜେପିରୁ ବିଧାୟକ ପ୍ରାର୍ଥୀ କରିବାକୁ ଅଡି ବସିଛନ୍ତି । ସେ କହିଛନ୍ତି କି ମୋ ପୁଅ ୧୨ ବର୍ଷ ହେବ ବିଜେପି ପାଇଁ କାମ କରୁଛି ତେଣୁ ଟିକେଟ ମାଗିବାର ଅଧିକାର ତାର ରହିଛି ।

ସେ କହିଛନ୍ତି କି ତାଙ୍କ ପୁଅ ଲକ୍ଷନୌର କେଣ୍ଟ ବିଧାନସଭା ଆସନ ପାଇଁ ଦଳକୁ ଟିକେଟ ମାଗିଛି । ଯଦି ପାର୍ଟି ତାଙ୍କ ପୁଅକୁ ଟିକେଟ ଦିଏ ତା ବଦଳରେ ସେ ସାଂସଦ ପଦ ଛାଡିବାକୁ ରାଜି ଅଛନ୍ତି । ଏକଥା ସେ ବିଜେପି ନେତୃତ୍ୱଙ୍କୁ କହିଥିବା କଥା ବି କହିଛନ୍ତି ।
ରୀତା କହିଛନ୍ତି କି ଯଦି ପାର୍ଟି ନିୟମ କରିଛି କି ପରିବାରରୁ ଜଣଙ୍କୁ ଟିକେଟ ଦେବ ତେବେ ମୋ ପୁଅକୁ ବିଜେପି ଟିକେଟ ଦେଲେ ମୁଁ ସାଂସଦ ପଦ ଛାଡିଦେବି ଓ ୨୦୨୪ ରେ ବି ଲୋକସଭା ନିର୍ବାଚନ ଲଢିବି ନାହିଁ ।

କହିରଖୁ କି ଉତ୍ତର ପ୍ରଦେଶ ନିର୍ବାଚନରେ ବିଜେପିର ଅନେକ ନେତା ସେମାନଙ୍କ ପୁଅ କିମ୍ବା ଝିଅକୁ ରାଜନୈତିକ ମଇଦାନକୁ ଆଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଅନ୍ୟପଟେ ରୀତା ବହୁଗୁଣା ତାଙ୍କ ପୁଅଙ୍କୁ କେଣ୍ଟ ଆସନରୁ ଏଥିପାଇଁ ନିର୍ବାଚନ ଲଢାଇବାକୁ ଚାହୁଁଛନ୍ତି କି ରୀତା ନିଜେ ସେହି ଆସନରୁ ଦୁଇଥର ବିଧାୟକ ଭାବେ ବିଜୟୀ ହୋଇଥିଲେ ।

ସେହିଭଳି ସେଲମପୁର ଲୋକସଭା ଆସନରୁ ସାଂସଦ ଥିବା ରବିନ୍ଦ୍ର କୁଶୱାହା ନିଜ ସାନ ଭାଇକୁ ଭାଟପାରଶାନୀ ଆସନରୁ ବିଧାୟକ ଭାବେ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି । ଏହାରି ଭିତରେ ଦେଖିବାକୁ ବାକି ରହିଲା କି ଏମାନଙ୍କୁ ସନ୍ତୋଷ୍ଟ କରିବାକୁ ବିଜେପି ଏମାନଙ୍କ କଥା ମାନୁଛି ନା ଏମାନେ ନିଜ ଉତ୍ତରାଧିକାରୀଙ୍କୁ ପ୍ରାର୍ଥୀ କରାଇନପାରିବା ଦୁଃଖରେ ଦଳ ଛାଡୁଛନ୍ତି ।