ମଧ୍ୟପ୍ରଦେଶରେ ‘ଅପରେସନ୍ ଲୋଟସ’! ପୁଣି ସରକାର ଗଢ଼ିବେ କି ଶିବରାଜ ? ‘ପଦ୍ମ’ ଧରିବା ପରେ ସିନ୍ଧିଆ ସାଜି ପାରନ୍ତି ସୂତ୍ରଧାର ।

327

କନକ ବ୍ୟୁରୋ: ବର୍ଷ ବର୍ଷର ଏହି କଂଗ୍ରେସିଆ ନେତା ଯେତେବେଳେ ଦଳ ଛାଡି ବିରୋଧୀ ବିଜେପି କ୍ୟାମ୍ପରେ ଯୋଗ ଦେଇଛନ୍ତି ସେତେବେଳେ ଏହାର ପୁରସ୍କାର ମଧ୍ୟ ସିନ୍ଧିଆଙ୍କ ପାଇଁ ବେଶ୍ ବଡ ହେବ ବୋଲି ଅନୁମାନ କରାଯାଉଛି । ଶୁକ୍ରବାର ମଧ୍ୟପ୍ରଦେଶରେ ୩ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିବାର ଶେଷ ତାରିଖ । ମିଳିଥିବା ସୂଚନା ଅନୁସାରେ , ଶୁକ୍ରବାର ହିଁ ରାଜ୍ୟସଭା ପାଇଁ ନାମାଙ୍କନ ଭରିପାରନ୍ତି ବିଜେପିର ନୂଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । ମଧ୍ୟପ୍ରଦେଶରୁ ବିଜେପି ଟିକେଟ୍ରେ ସେ ରାଜ୍ୟସଭା ଯାଇପାରନ୍ତି । ଆଉ ସିନ୍ଧିଆଙ୍କୁ ମିଳିପାରେ ମୋଦି କ୍ୟାବିନେଟ୍ରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ।

କୁହାଯାଉଛି, ରାଜ୍ୟସଭା ସାଂସଦ ସହ ମନ୍ତ୍ରୀପଦ ପାଇଁ ବିଜେପି ଓ ସିନ୍ଧିଆଙ୍କ ମଧ୍ୟରେ ଡିଲ୍ ହୋଇଛି । ଖାଲି ମନ୍ତ୍ରୀ ନୁହେଁ, କ୍ୟାବିନେଟ୍ ମନ୍ତ୍ରୀ ପଦ ପାଇଁ ଡିଲ୍ ଫାଇନାଲ ହୋଇସାରିଛି । କାରଣ, କେବଳ ସିନ୍ଧିଆ ବିଜେପିକୁ ଆସିନାହାଁନ୍ତି ବରଂ କଂଗ୍ରେସ ଶିବିରରୁ ସେ ନେଇ ଆସିଥିବା ବିଧାୟକଙ୍କ ଯୋଗୁଁ ମଧ୍ୟପ୍ରଦେଶରେ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଯାଇଛି । କର୍ଣ୍ଣାଟକ ପରେ ମଧ୍ୟପ୍ରଦେଶରେ ଅପରେସନ ଲୋଟସ ସଫଳ ହେବାକୁ ଯାଉଛି । ଯଦି ସବୁ ଯୋଜନା ମୁତାବକ ହୁଏ ତେବେ , ମାମା ନାଁରେ ଲୋକପ୍ରିୟ ଶିବରାଜ ସିଂ ଚୌହାନ ଚତୁର୍ଥଥର ପାଇଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ଆଉ ଯଦି ଏଭଳି ହୁଏ ତେବେ କଂଗ୍ରେସ ସହ ମହାରାଷ୍ଟ୍ରର ବଦଲା ନେଇପାରିବ ବିଜେପି । ଏନସିପି ଓ ଶିବସେନାକୁ ସହଯୋଗ ଦେଇ ମହାରାଷ୍ଟ୍ରରେ ବିଜେପିକୁ କ୍ଷମତାଠାରୁ ଦୂରେଇ ରଖିଥିଲା କଂଗ୍ରେସ । ଏବେ କଂଗ୍ରେସ ଶିବିରରୁ ସିନ୍ଧିଆଙ୍କ ଭଳି ଜଣେ ହେବିୱେଟ ନେତାଙ୍କୁ ଦଳକୁ ଆଣି ସରକାର ଭାଂଗିବା ସହ ନିଜେ ସରକାର ଗଢିବ ବିଜେପି ।

ରାଜନୀତି ବିଶେଷଜ୍ଞଙ୍କ କହିବା କଥା, ସିନ୍ଧିଆ , ବିଜେପିକୁ ଆସିବା ଫଳରେ ଗ୍ୱାଲିଅର ଏବଂ ଚମ୍ବଲ ଅଂଚଳରେ ବିଜେପି ଆହୁରି ଶକ୍ତିଶାଳୀ ହେବ । ସିନ୍ଧିଆଙ୍କ ଏହି ଗଡରେ ବିଜେପି ୨୦୧୮ ନିର୍ବାଚନରେ ଫେଲ ମାରିଥିଲା । ଏବେ ସିନ୍ଧିଆ ଜଗିବେ ଗ୍ୱାଲିଅର ଗଡ । ନାଗରିକ ସଂଶୋଧନ ଆଇନ୍କୁ ନେଇ ବ୍ୟାପକ ବିରୋଧର ସାମ୍ନା କରୁଥିବା ବିଜେପି ପାଇଁ ମଧ୍ୟପ୍ରଦେଶର ଘଟଣା ବଡ ଧରଣର ଆଶ୍ୱସ୍ତି ଆଣିପାରେ । କାରଣ ବିରୋଧର ନେତୃତ୍ୱ ନେଉଥିବା କଂଗ୍ରେସ , ଏବେ ଆଭ୍ୟନ୍ତରୀଣ ବିଦ୍ରୋହ ଭିତରେ ଛନ୍ଦି ହୋଇଯାଇଛି ।