ମଧ୍ୟପ୍ରଦେଶ ନିମଚରେ ଅମାନବୀୟ କାଣ୍ଡ । ଚୋର ସନ୍ଦେହରେ ଆଦିବାସୀ ଯୁବକକୁ ନିସ୍ତୁକ ମାଡ ପରେ ଗାଡି ପଛପଟେ ବାନ୍ଧି ଘୋଷାଡିଲେ ଦୁର୍ବୃତ୍ତ, ଚିକିତ୍ସାଧିନ ଅବସ୍ଥାରେ ଯୁବକର ମୃତ୍ୟୁ

107

କନକ ବ୍ୟୁରୋ: ସମାନ୍ୟ ଚୋରୀକୁ ନେଇ ସନ୍ଦେହ । ଆଉ ତା ପରେ କ୍ରୁରତାର ଗୋଟିଏ ପରେ ଗୋଟେ ନିଦର୍ଶନ । ମଧ୍ୟପ୍ରଦେଶ ନିମଚ ଜିଲ୍ଲାରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା । ଆଦିବାସୀ ଯୁବକକୁ ଚୋର ସନ୍ଦେହରେ ଅକଥନୀୟ ନିର୍ଯାର୍ତନା ଦେଇଛନ୍ତି ସେହି ଅଂଚଳର କିଛି ଯୁବକ । ଚୋରି ବିଷୟରେ ପଚରାଉଚୁରା କରୁକରୁ ଆରମ୍ଭ ହୋଇଥିଲା ମାଡ । ପରେ ଯୁବକକୁ ଏକ ପିକଅପ୍ ଭ୍ୟାନ ପଛପଟେ ବାନ୍ଧି ରାସ୍ତାରେ ଘୋଷାଡି ଘୋଷାଡି ନେଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ବି ଯୁବକକୁ ନିସ୍ତାର ମିଳିନଥିଲା । ଅସହାୟ ଅବସ୍ଥାରେ ପଡିଥିବା ଯୁବକକୁ ସମସ୍ତେ ମିଶି ପୁଣିଥରେ ନିସ୍ତୁକ ମାଡ ମାରି ଥିଲେ । ଏହାପରେ ନିମଚ ପୁଲିସକୁ ଫୋନ କରି ଜଣାଇଥିଲେ । ଏସବୁକୁ ବିରୋଧ କରିବା ବଦଳରେ ଏପରି ବର୍ବରତାର ଚିତ୍ରକୁ ନିଜ ମୋବାଇଲରେ ରେକର୍ଡ କରୁଥିଲେ କିଛି ଯୁବକ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ପ୍ରଶାସନର ହୋସ୍ ଉଡିଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ଯୁବକକୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭତ୍ତି କରିଥିଲେ ବି ଚିକିତ୍ସାଧିନ ଅବସ୍ଥାରେ ପୀଡିତର ମୃତ୍ୟୁ ହୋଇଛି ।

ଭିଡିଓ ଭାଇରାଲ ହେବା ପରେ ନିମଚ ଏସପି ଏହାକୁ ଗୁରୁତର ସହ ନେଇ ତନଘନା ଆରମ୍ଭ କରିଥିଲେ ।ସମ୍ପୃକ୍ତ ଘଟଣାରେ ୮ଜଣଙ୍କୁ ଗିରଫ କରିବା ସହ ଏମାନଙ୍କ ବିରୋଧରେ ହତ୍ୟା ଓ ଆଟ୍ରୋସିଟି( କ୍ରୁରତା ପ୍ରଦର୍ଶନ)ର ମାମଲା ଦାଏର ହୋଇଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ବାଣଦା ଇଲାକାର । ତାର ପତ୍ନୀ ସେଠିକାର ସରପଂଚ ଥିବା ଜଣାପଡିଛି । ମଧ୍ୟପ୍ରଦେଶରେ ଅନୁସୂଚିତ ଜାତି ଓ ଉପଜାତିଙ୍କ ଉପରେ ଏପରି ଲିଂଚିଙ୍ଗ ମାମଲା ଦିନକୁ ଦିନ ବଢିବାରୁ ଲାଗିଛି । ତେଣୁ ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଉନଥିବାରୁ ରାଜ୍ୟ କଂଗ୍ରେସ ଓ ବିରୋଧୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।