ଜେଲରୁ ମୁକୁଳିବା ପରେ ବଢିଲା ନବନୀତଙ୍କ ପାଇଁ ଅଡୁଆ : ଏବେ ବେଆଇନ ନିର୍ମାଣ ନେଇ ବିଏମସି ପଠାଇଲା ନୋଟିସ

250

କନକ ବ୍ୟୁରୋ : ସ୍ୱାଧୀନ ସାଂସଦ ନବନୀତ ରାଣାଙ୍କ ପାଇଁ ପୁଣି ଅଡୁଆ ବଢିବାରେ ଲାଗିଛି । ବୃହନମୁମ୍ବାଇ ନଗର ନିଗମ ଏବେ ନବନୀତଙ୍କ ନିକଟକୁ ଏକ ନୋଟିସ ପଠାଇଛି । ନବନୀତଙ୍କର ବୃହନମୁମ୍ବାଇରେ ଥିବା ଏକ ଘର ବେଆଇନ ଭାବେ ନିର୍ମାଣ କରାଯାଇଥିବା ନେଇ ଏହି ନୋଟିସ ପଠାଯାଇଛି । କୁହାଯାଉଛି କି,ଏନେଇ ବିଏମସି ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅବୈଦ୍ଧ ନିର୍ମାଣକୁ ଭାଙ୍ଗିପାରେ ।

ସୂଚନା ଥାଉକି, କିଛିଦିନ ତଳେ ହନୁମାନ ଚାଳିଶା ପଢିବା ମାମଲାରେ ସ୍ୱାଧୀନ ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଗିରଫ କରାଯାଇଥିଲା । ନବନୀତ ଓ ରବି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ଆଗରେ ହନୁମାନ ଚାଳିଶା ପଢିବା ନେଇ ଘୋଷଣା କରିବା ପରେ ଶିବସେନାର କର୍ମୀମାନେ ନବନୀତଙ୍କ ବାସଭବନ ଆଗରେ ହଙ୍ଗାମା କରିଥିଲେ । ଏହାପରେ ପୋଲିସ କିଛି ଶିବସେନା କର୍ମୀଙ୍କ ସହ ନବନୀତ ଓ ରବିଙ୍କୁ ଗିରଫ କରିଥିଲା । ଦୀର୍ଘ ୧୩ ଦିନ ପରେ ନବନୀତ ଓ ରବି ଜେଲରୁ ମୁକୁଳିଥିଲେ ।

ସେତିକିରେ ସରିନାହିଁ ନବନୀତ ଓ ରବିଙ୍କ ପାଇଁ ଅଡୁଆ । ଏବେ ବିଏମସି ଅଧିନରେ ଥିବା ତାଙ୍କର ଏକ ଘର ବେଆଇନ ଭାବେ ନିର୍ମାଣ କରାଯାଇଥିବା ନେଇ ବିଏମସି ପକ୍ଷରୁ ନୋଟିସ ଜାରି କରାଯାଇଛି । ହେଲେ ନୋଟିସ ପାଇବା ପରେ ରାଣା ଦମ୍ପତ୍ତି ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ।