ନକଲି ଟିକା ଓ ଟିକାକରଣ କେନ୍ଦ୍ରର ଖୁଲାସା କଲେ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ । ଜଣେ ଗିରଫ୍

741

କନକ ବ୍ୟୁରୋ : ଉତ୍ତରାଖଣ୍ଡର ହରିଦ୍ୱାର କୁମ୍ଭମେଳାରେ ନକଲି କୋଭିଡ୍ ଟେଷ୍ଟିଂ ପରେ ଏବେ କୋଲକତାରେ ନକଲି ଟିକା ଓ ନକଲି ଟିକାକରଣ କେନ୍ଦ୍ରର ଖୁଲାସା କରିଛନ୍ତି ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ । ଏହି ଖୁଲାସା ପରେ କୋଲକତା ପୋଲିସ ଜଣେ ଲୋକକୁ ଗିରଫ କରିଛି ।

ସୂଚନା ମୁତାବକ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ ଯେଉଁ ଟିକାକରଣ  କେନ୍ଦ୍ରରେ ଟିକା ନେଲେ ସେଠାରେ କୌଣସି ସରକାରୀ ଅଧିକାରୀଙ୍କୁ ଦେଖିବାକୁ ମିଳି ନଥିଲା । ଏହାକୁ ନେଇ ସେ ସନ୍ଦେହ ପ୍ରକାଶ କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ଏନେଇ ଖୋଳତାଡ କରି ଦକ୍ଷୀଣ କୋଲକତାର ଦେବଞ୍ଜନ ଦେବ ନାମକ ଜଣେ ଲୋକକୁ ଗିରଫ୍ କରିଛି ।

ଦେବଞ୍ଜନ ଦେବ ନିଜକୁ ଜଣେ ଆଇଏଏସ ଅଧିକାରୀ ବୋଲି ପରିଚୟ ଦେଇ ଟିକାକରଣ କେନ୍ଦ୍ରକୁ ମିମି ଚକ୍ରବର୍ତ୍ତୀଙ୍କୁ ଆମନ୍ତ୍ରଣ କରିଥିଲା । ସେ କହିଥିଲା କି ଏହି ଟିକାକରଣର ଆୟୋଜନ କୋଲକତା ନଗର ନିଗମ ଦ୍ୱାରା କରାଯାଉଛି ।
ଏନେଇ ମିମି ଚକ୍ରବର୍ତ୍ତୀ କହିଛନ୍ତି କି ସେ ଲୋକଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରୁଛନ୍ତି । ହେଲେ ଏଭଳି ନକଲି ଟିକାକରଣ କେନ୍ଦ୍ରକୁ ଆମନ୍ତ୍ରିତ ହୋଇ ଯିବା ତାଙ୍କ ପାଇଁ ମହଙ୍ଗା ପଡିଛି । କାରଣ ସେ ସେଠାକୁ ଅତିଥି ହୋଇ ଯାଉଥିବା ଜାଣି ଅନେକ ଲୋକ ଆଗ୍ରହର ସହ ଟିକା ନେବାକୁ ସେଠାରେ ପହଂଚିଥିଲେ  ଓ ସେ ଏହାଏକ ନକଲି ଟିକାକରଣ କେନ୍ଦ୍ର ଜାଣବା ବେଳକୁ ପାଖା ପାଖି ୨୫୦ ଲୋକ ଓ ସେ ନିଜେ ଟିକା ନେଇ ସାରିଥିଲେ ।

ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ମିମି ଚକ୍ରବର୍ତ୍ତୀ କହିଛନ୍ତି କି ଦେବଞ୍ଜନ ଦେବ ତାଙ୍କୁ କହିଥିଲେ କି କୋଲକତା ନଗର ନିଗମ ତରଫରୁ କିନ୍ନର ଓ ଦିବ୍ୟାଙ୍କଙ୍କ ପାଇଁ ଏକ ଟିକା ଶିବିରର ଆୟୋଜନ କରାଯାଉଛି । ଏହାକୁ ନଜରରେ ରଖି ମିମି ସେଠାରେ ଅତିଥି ଭାବେ ପହଂଚିଥିବା କଥା କହିଛନ୍ତି ।