ନାତୁଣୀର ଜନ୍ମ ଖୁସିକୁ ଖାସ୍ ଢଙ୍ଗରେ ପାଳିଲେ ଅଜା , ଗ୍ରାହକଙ୍କୁ ଦେଲେ ଏକ୍ସଟ୍ରା ପେଟ୍ରୋଲ

212

କନକ ବ୍ୟୁରୋ: ଏବେ ଚାରିଆଡେ ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ , ଡିଜେଲ ଦର । ହେଲେ ଏଭଳି ସ୍ଥିତିରେ ଏକ ପେଟ୍ରୋଲ ପମ୍ପ ମାଲିକ ଗ୍ରାହକଙ୍କୁ ଦେଉଛନ୍ତି ଏକ୍ସଟ୍ରା ପେଟ୍ରୋଲ । ନିୟମିତ ଗ୍ରାହକଙ୍କୁ ମିଳୁଛି ୧୦ ପ୍ରତିଶତ ପର୍ଯ୍ୟନ୍ତ ଏକ୍ସଟ୍ରା ପେଟ୍ରୋଲ । ଏହାର କାରଣ କୌଣସି ପର୍ବ ନୁହେଁ ବରଂ ପରିବାରରେ ଝିଅ ଜନ୍ମ ହୋଇଛି ବୋଲି ପେଟ୍ରୋଲ ପମ୍ପ ମାଲିକ ଗ୍ରାହକଙ୍କୁ ଖୁସିରେ ଦେଉଛନ୍ତି ଏକ୍ସଟ୍ରା ପେଟ୍ରୋଲ । ଘଟଣା ମଧ୍ୟପ୍ରଦେଶ ବୈତୁଲର ।

ପୁଅ ଜନ୍ମ ନେଲେ ଘରେ ଖୁସିର ମାହାଲ ହେବା ସ୍ୱାଭାବିକ । ହେଲେ ଏପରିବି କିଛି ଲୋକ ଅଛନ୍ତି ଯାହାଙ୍କ ପାଇଁ ଝିଅ ଯେପରି ମା’ ଲକ୍ଷ୍ମୀଙ୍କ ଅନ୍ୟ ରୂପ । ଝିଅ ଜନ୍ମରେ ଏମାନଙ୍କ ଖୁସିର ସୀମା ରୁହେନି । ବୈତୁଲର ରାଜେନ୍ଦ୍ର ସୈନାନିଙ୍କ ଶ୍ରବଣ ବାଧିତ ଭାଣେଜି ଶିଖାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହେବା ଖୁସିରେ ଗ୍ରାହକଙ୍କୁ ବାଣ୍ଟିଛନ୍ତି ପ୍ରେଟ୍ରୋଲ । ଆଉ ଏଭଳି ନିଆରା ଢଙ୍ଗରେ ନାତୁଣୀର ଜନ୍ମକୁ ପାଳି ଏବେ ଚର୍ଚ୍ଚାରେ ଅଛନ୍ତି ରାଜେନ୍ଦ୍ର ସୈନାନି । ଅକ୍ଟୋବର ୯ ତାରିଖରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ଶିଖା । ଏହି ଖୁସିରେ ୯ ତାରିଖରୁ ଅକ୍ଟୋବର ୧୫ ତାରିଖ ଯାଏଁ ସକାଳ ୯ଟାରୁ ୧୧ଟା ଏବଂ ସନ୍ଧ୍ୟା ୫ଟାରୁ ୭ ଟା ଯାଏଁ ଗ୍ରାହକଙ୍କୁ ଏକ୍ସଟ୍ରା ପେଟ୍ରୋଲ ବାଣ୍ଟିଛନ୍ତି ରାଜେନ୍ଦ୍ର । ଅର୍ଥାତ ଯେଉଁ ମାନେ ୨୦୦ଟଙ୍କାରୁ ୫୦୦ଟଙ୍କା ଭିତରେ ପେଟ୍ରୋଲ ପକାଇବେ ତାଙ୍କୁ ଅଧିକ ୧୦ ପ୍ରତିଶତ ପେଟ୍ରୋଲ ଦିଆଯାଇଥିଲା । ରାଜେନ୍ଦ୍ର ଏଥିପାଇଁ  ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଥିଲେ । କୌଣସି ଲାଭଖୋର ମନୋଭାବ ନୁହେଁ ବରଂ ଘରକୁ ଭାଣେଜି ରୂପରେ ନବରାତ୍ରୀରେ ମା’ ଆସିଥିବା ଖୁସିରେ ଏକରି ନିଆରା କାମ କରିଛନ୍ତି ।

ରାଜେନ୍ଦ୍ରଙ୍କ ଭାଣେଜି ଶିଖା ଓ ତାଙ୍କ ସ୍ୱାମୀ ଉଭୟ ମୁକ ବଧିର । ଶିଖାଙ୍କ ବାପାଙ୍କ ଦେହାନ୍ତ ପରେ ଶିଖାଙ୍କୁ ପାଳିଥିଲେ ରାଜେନ୍ଦ୍ର ସୈନାନି । ଅତ୍ୟାଧୁନିକ ସମାଜରେ ଲୋକ ଶିକ୍ଷିତ ହୋଇଥିଲେ ବି ପୁଅ ଝିଅଙ୍କ ମଧ୍ୟରେ ଥିବା ପ୍ରଭେଦକୁ ଏଡାଇ ଦିଆଯାଇପରିନାହିଁ । ଏପରି ସ୍ଥଳେ ରାଜେନ୍ଦ୍ର ସୈନାନିଙ୍କ ଏଭଳି କାର୍ଯ୍ୟ ସାରା ସମାଜକୁ ଦେଇଛି  ଏକ ସକାରାତ୍ମକ ବାର୍ତ୍ତା ।