କନକ ବ୍ୟୁରୋ : ଗତ ସପ୍ତାହରେ ତାମିଲନାଡୁରେ ‘ଏମଆଇ-୧୭’ ହେଲିକପ୍ଟର୍‌ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଗ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂହଙ୍କର ଗତକାଲି ସକାଳେ ଦେହାନ୍ତ ‌ହୋଇଥିବା କଥା ଭାରତୀୟ ବାୟୁସେନା ଘୋଷଣା କରିଥିଲା। ତାଙ୍କ ବିୟୋଗ ପରେ ପରିବାରକୁ ୧କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦେବା ପାଇଁ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର।

Advertisment

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, ବରୁଣ ସିଂଙ୍କ ଶେଷ ରୀତିନୀତି ସମ୍ପୂର୍ଣ୍ଣ ସାମରିକ ସମ୍ମାନ ସହିତ କରାଯିବ। ଗଣମାଧ୍ୟମକୁ ସମ୍ବୋଧିତ କରି ଚୌହାନ କହିଛନ୍ତି ଯେ, “ମୁଁ ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ତାଙ୍କର ଶେଷ ରୀତିନୀତି ସମ୍ପୂର୍ଣ୍ଣ ରାଜ୍ୟ ତଥା ସାମରିକ ସମ୍ମାନ ସହିତ କରାଯିବ। ତାଙ୍କ ବାପା ମଧ୍ୟ ବହୁତ ସାହସୀ ଅଟନ୍ତି। ପୂରା ପରିବାର ଦେଶ ପାଇଁ ଉତ୍ସର୍ଗୀକୃତ। ଆମେ ଏଭଳି ସମୟରେ ସେମାନଙ୍କ ସହ ଛିଡା ହୋଇଛୁ। ବରୁଣ ସିଂହଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ୧କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦିଆଯିବ।

ଉଲ୍ଲେଖଯୋଗ୍ୟ, ‘ସିଏସଡି’ ଜେନେରାଲ୍‌ ବିପିନ ରାୱତ୍, ତାଙ୍କ ପତ୍ନୀ ମଧୁଲିକା ଏବଂ ଆଉ ୧୧ଜଣ ପ୍ରାଣ ହରାଇଥିବା ଉକ୍ତ ହେଲିକପ୍ଟର୍‌ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଏକମାତ୍ର ଜୀବୀତ ବ୍ୟକ୍ତି ଥିଲେ ବରୁଣ ସିଂହ। ତାଙ୍କୁ ହେଲିକପ୍ଟର୍‌ର ଭଗ୍ନାଂଶ ତଳୁ ବାହାର କରି ଉଦ୍ଧାର କରାଯାଇଥିଲା। ତାଙ୍କର ଅବସ୍ଥା ଗମ୍ଭୀର ହୋଇପଡ଼ିଥିଲେ ମଧ୍ୟ ସ୍ଥିର ରହିଥିଲା। ତାଙ୍କ ଦେହରେ ୩ଟି ଅସ୍ତ୍ରୋପଚାର କରାଯାଇଥିଲା। ଶତ ଚେଷ୍ଟା ପରେ ମଧ୍ୟ ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତର ।