କନକ ବ୍ୟୁରୋ : ମଧ୍ୟପ୍ରଦେଶ ବିଧାନସଭା ପାଇଁ ଭୋଟିଂ ପୂର୍ବରୁ ବିଜେପି ଦଳଦ୍ରୋହୀ ନେତାଙ୍କ ବିରୋଧରେ ବଡ ଆକ୍ସନ ନେଇଛି । ଦଳ ତରଫରୁ ଦଳ ବିରୋଧରେ କାର୍ଯ୍ୟ କରୁଥିବା ୩୫ ଜଣ ନେତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବନ କରିଛି । ସେପଟେ ଦଳରୁ ନିଲମ୍ବିତ ହୋଇଥିବା ନେତାମାନେ ବିଜେପିର ନିର୍ବାଚନୀ ଯୋଜନାକୁ ବିଗାଡି ପାରନ୍ତି ବୋଲି ଆଶା କରାଯାଉଛି । ସେମାନଙ୍କ ମଧ୍ୟରୁ କିଛିନେତା କଂଗ୍ରେସ ସମର୍ଥନରେ ପ୍ରଚାର କରିପାରନ୍ତି ବୋଲି ଆକଳନ କରାଯାଉଛି ।

Advertisment

ଦଳରୁ ନିଲମ୍ବିତ ନେତାଙ୍କ ମଧ୍ୟରୁ କିଛି ନେତା ବିଧାନସଭା ପ୍ରାର୍ଥୀ ଭାବେ ନିର୍ଦ୍ଦଳୀୟ ନିର୍ବାଚନ ଲଢିବାକୁ ନାମାଙ୍କନ ମଧ୍ୟ ଭରିଛନ୍ତି । ଗୋଟିଏ ପଟେ ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟପ୍ରଦେଶରେ ଡେରା ପକାଇଛନ୍ତି । ସଭା ପରେ ସଭା କରି ଉଭୟ କେନ୍ଦ୍ରୀୟ ନେତା କଂଗ୍ରେସର ଭ୍ରଷ୍ଟାଚାରକୁ ଉଜାଗର କରୁଛନ୍ତି । ସେପଟେ କଂଗ୍ରେସ ଦଳର ନେତାମାନେ ମଧ୍ୟ ନିର୍ବାଚନୀ ପ୍ରଚାରକୁ ଜୋରଦାର ଚଳାଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଦଳର ମଧ୍ୟପ୍ରଦେଶ ନେତା କମଳନାଥ, ଦିଗବିଜୟ ସିଂ ମଧ୍ୟ ନିର୍ବାଚନ ପ୍ରଚାର ଚଳାଇଛନ୍ତି । ଶିବରାଜ ସରକାରକୁ କମିଶନ ସରକାର କହି କଂଗ୍ରେସ ପ୍ରତିଟି ସଭା ମଞ୍ଚରେ ବିଜେପିକୁ ଟାର୍ଗେଟ କରୁଛି ।