କନକ ବ୍ୟୁରୋ : ପ୍ୟାରିସ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବା ପରେ ମଧ୍ୟ ନିରାଶ ହୋଇଥିବା କୁସ୍ତିଯୋଦ୍ଧା ବିନେଶ ଫୋଗଟ ଆଜି ଭାରତ ଫେରିଛନ୍ତି । ଭାରତ ପହଂଚିବା ପରେ ତାଙ୍କୁ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ବିନେଶଙ୍କ ମା’. ସାକ୍ଷୀ ମଲ୍ଲିକ, ବଜରଙ୍ଗ ପୁନିଆ ଉପସ୍ଥିତ ଥିଲେ । ହେଲେ ଏହି କ୍ରମରେ କଂଗ୍ରେସ ସାଂସଦ ତଥା ହରିଆଣା କଂଗ୍ରେସର ବରିଷ୍ଠ ନତା ଦିପେନ୍ଦ୍ର ହୁଡ୍ଡା ନଜର ଆସିଥିଲେ । ଦିପେନ୍ଦ୍ର ହୁଡ୍ଡାଙ୍କୁ ବିନେଶଙ୍କ କାରରେ ଜାଗା ମିଳିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ପ୍ୟାରିସ ଅଲିମ୍ପିକ୍ସରେ ବିନେଶ ଫୋଗଟଙ୍କ ବିବାଦକୁ ନେଇ ହରିଆଣା ରାଜନୀତି ସରଗରମ ରହିଛି । ଦିପେନ୍ଦ୍ର ହୁଡ୍ଡାଙ୍କ ପିତା ତଥା ପୂର୍ବତନ ସାଂସଦ ଏହା ବି କହିଥିଲେ କି ତାଙ୍କ ପାଖରେ ସଂଖ୍ୟା ବଳ ନାହିଁ, ନହେଲେ କଂଗ୍ରେସ ତରଫରୁ ବିନେଶଙ୍କୁ ରାଜ୍ୟସଭା ପଠାଯାଇଥାନ୍ତା । ଏହାକୁ ନେଇ ନେତାମାନଙ୍କ ମଧ୍ୟରେ ଜୋରଦାର ବୟାନବାଜୀ ହୋଇଥିଲା । ବିଜେପି, ଆମ୍ ଆଦମୀ ପାର୍ଟି ଓ ବିନେଶଙ୍କ ମା’ ମଧ୍ୟ ଏହି ବୟାନବାଜୀରେ ସାମିଲ ହୋଇଥିଲେ ।
ସୂଚନା ଥାଉକି ହରିଆଣାରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ସରିଛି । ସେପଟେ କୁସ୍ତିଯୋଦ୍ଧାଙ୍କ ପ୍ରସଙ୍ଗରେ ପୂର୍ବରୁ ଓ ଏବେ କଂଗ୍ରେସ ନେତାମାନେ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଅଛନ୍ତି ଓ ଏହାର ଫାଇଦା ନେବାକୁ ଏହା ପ୍ରକୋଷ୍ଟ ସମୟ । ବିନେଶଙ୍କ ମାଧ୍ୟମରେ କଂଗ୍ରେସ, ମହିଳା, ଓ ଜାଟ୍ ସଂପ୍ରଦାୟ ଉପରେ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି । ଖାପ୍ ପଞ୍ଚାୟତ ବି ବିନେଶଙ୍କ ସମର୍ଥନରେ ଥିବାରୁ ବିନେଶଙ୍କୁ ପ୍ରାର୍ଥୀ କରି କଂଗ୍ରେସ ଏହାର ଫାଇଦା ଉଠାଇବାକୁ ନିଶ୍ଚିନ୍ତ ଚେଷ୍ଠା କରିବ ।
ସେପଟେ ହରିଆଣାର ଖେଳମନ୍ତ୍ରୀ ସଂଜୟ ସିଂ ବିନେଶ ଫୋଗଟଙ୍କୁ ରାଜନୀତିରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି । ସେ କହିଛନ୍ତି କି, ଯଦି ବିନେଶ ଫୋଗାଟ ବିଜେପିରେ ଯୋଗ ଦିଅନ୍ତି ତେବେ ବିଧାନସଭା ନିର୍ବାଚନରେ ତାଙ୍କୁ ଟିକେଟ ମିଳିବା ନେଇ ବିଚାର କରାଯିବ । ଅନ୍ୟପଟେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ନାଏବ ସୈନି କହିଛନ୍ତି କଂଗ୍ରେସ ବିନେଶଙ୍କୁ ନେଇ ରାଜନୀତି କରୁଛି ।