ସିନ୍ଧିଆଙ୍କ ଇସ୍ତଫା ପରେ ସଙ୍କଟରେ କମଳନାଥ ସରକାର । ୧୯ ବିଧାୟକ ରାଜ୍ୟପାଳଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । ଆସନ୍ତା ୪୮ ଘଂଟା କମଳନାଥ ସରକାର ପାଇଁ ଗୁରୁତ୍ୱପୂର୍ଣ୍ଣ

ହାତ ଛାଡିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ; ସୋନିଆ ଗାନ୍ଧୀଙ୍କୁ ପଠାଇଲେ ଇସ୍ତଫା ପତ୍ର: ଫାଇଦାରେ ବିଜେପି

433

କନକ ବ୍ୟୁରୋ: ମଧ୍ୟପ୍ରଦେଶ କଂଗ୍ରେସକୁ ହୋଲିରେ ଶକ୍ତ ଝଟକା । ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ସିନ୍ଧିଆ ଇସ୍ତଫା ପତ୍ର ପଠାଇଛନ୍ତି । ଖୋଦ୍ ସିନ୍ଧିଆ ଟ୍ୱିଟ୍ କରି ନିଜ ଇସ୍ତଫା ବାବଦରେ ସୂଚନା ଦେଇଛନ୍ତି । ଆଜି ଦିଲ୍ଲୀରେ ଅମିତ ଶାହାଙ୍କ ସହ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ଜ୍ୟୋତିରାଦିତ୍ୟ । ଏହାପରେ ସୋନିଆଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିବା ଚର୍ଚ୍ଚା ହେଉଛି । ସିନ୍ଧିଆଙ୍କ ଇସ୍ତଫା ପରେ ତାଙ୍କ ସମର୍ଥକ ୧୯ ଜଣ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି ।

ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ କମଳନାଥ ସରକାରର ୫ ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି । ୧୯ ବିଧାୟକ ରାଜ୍ୟପାଳଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିବା ସୂଚନା ମିଳିଛି । ଏହି ଇସ୍ତଫା ପରେ ମଧ୍ୟପ୍ରଦେଶରେ କମଳନାଥ ସରକାର ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଅନ୍ୟପଟେ ସିନ୍ଧିଆଙ୍କ ଇସ୍ତଫାକୁ ବିଶ୍ୱାସଘାତ ବୋଲି କହିଛି କଂଗ୍ରେସ । ଇସ୍ତଫା ନେଇ କଂଗ୍ରେସ ନେତା କେ.ବେଣୁଗୋପାଳ କହିଛନ୍ତି, ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ସିନ୍ଧିଆଙ୍କୁ ଦଳରୁ ବାହାର କରିଦିଆଯାଇଛି । ଅନ୍ୟପଟେ ଚର୍ଚ୍ଚା ହେଉଛି ସିନ୍ଧିଆ ଆଜି ସଂଧ୍ୟାରେ ବିଜେପିରେ ସାମିଲ ହୋଇପାରନ୍ତି । ସିନ୍ଧିଆ ପଦ୍ମ ଧରିବା ପରେ ତାଙ୍କୁ ମୋଦି କ୍ୟାବିନେଟରେ ବଡ ଦାୟିତ୍ୱ ମିଳିପାରେ ବୋଲି ଚର୍ଚା ହେଉଛି ।

କଣ କହୁଛି ମଧ୍ୟପ୍ରଦେଶ ବିଧାନସଭାର ଗଣିତ

ମଧ୍ୟପ୍ରଦେଶରେ ମୋଟ ଆସନ ସଂଖ୍ୟା ହେଉଛି ୨୩୦ । ବର୍ତମାନ ଦୁଇଟି ଆସନ ଖାଲିପଡିଛି । ଶାସକ କଂଗ୍ରେସ ନିକଟରେ ୧୧୪ ଆସନ ଥିବାବେଳେ ବିଜେପି ନିକଟରେ ୧୦୭ ଆସନ ରହିଛି । କଂଗ୍ରେସକୁ ୪ ନିର୍ଦ୍ଦଳୀୟ, ବହୁଜନ ସମାଜ ପାର୍ଟିର ୨ ଓ ସମାଜବାଦୀ ପାର୍ଟିର ଜଣେ ବିଧାୟକ ସମର୍ଥନ କରୁଛନ୍ତି । ଏଭଳି ଭାବେ କମଳନାଥ ସରକାରକୁ ୧୨୧ ଜଣ ବିଧାୟକଙ୍କ ସମର୍ଥନ ରହିଛି ।

ଅଳ୍ପମତକୁ ଆସିଯାଇଛି କମଳନାଥ ସରକାର

ବର୍ତମାନ ସ୍ଥିତିରେ ୧୯ ଜଣ ବିଧାୟକ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପଠାଇବା ପରେ ଅଳ୍ପମତକୁ ଆସିଯାଇଛି କମଳନାଥ ସରକାର । ୧୯ ଜଣଙ୍କ ଇସ୍ତଫା ପରେ କଂଗ୍ରେସ ସଂଖ୍ୟା ୧୦୧କୁ ଖସିଆସିଛି । ଆଗକୁ ମଧ୍ୟ ଆଉ କିଛି ବିଧାୟକ ଇସ୍ତଫା ପତ୍ର ପଠାଇବା ଚର୍ଚ୍ଚା ହେଉଛି । ବର୍ତମାନ ବିଜେପି ସରକାର ଗଠନ ସ୍ଥିତିକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି । ଦଳର ବିଧାୟକ ସଂଖ୍ୟା ୧୦୭ ରହିଛି ।

ତେବେ ଖବର ଅନୁସାରେ, ଆଜି ସନ୍ଧ୍ୟାରେ ବିଜେପିରେ ସାମିଲ ହୋଇପାରନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏବେ ଆସନ୍ତୁ ଜାଣିବା ସିନ୍ଧିଆଙ୍କ ପାଇଁ କଣ ହୋଇପାରେ ବିକଳ୍ପ । ପ୍ରଥମ ବିକଳ୍ପ ହେଲା, ଜ୍ୟୋତିରାଦିତ୍ୟଙ୍କୁ ରାଜ୍ୟସଭା ପଠାଇ କେନ୍ଦ୍ରରେ ମନ୍ତ୍ରୀ କରିପାରେ ବିଜେପି । ସେହିଭଳି ଦ୍ୱିତୀୟ ବିକଳ୍ପ ହେଲା, ମଧ୍ୟପ୍ରଦେଶରେ ବିଜେପି ସିନ୍ଧିଆଙ୍କୁ ବଡ ଦାୟିତ୍ୱ ଦେଇପାରେ କିମ୍ବା ମୁଖ୍ୟମନ୍ତ୍ରୀ ବା ଉପମୁଖ୍ୟମନ୍ତ୍ରୀ ବି କରିପାରେ ।