କନକ ବ୍ୟୁରୋ : ନୂଆବର୍ଷ ସେଲିବ୍ରେସନ ପାର୍ଟିରେ ବନ୍ଧୁକ ଧରି ନାଚିଲେ କଂଗ୍ରେସ ବିଧାୟକ । ମଧ୍ୟପ୍ରଦେଶ ଅନୁପୁର ଜିଲ୍ଲାର କୋତମା ବିଧାୟକ ସୁନୀଲ ସରାଫ ନ୍ୟୁ ଇୟର ପାର୍ଟିରେ ହାତରେ ବନ୍ଧୁକ ଧରି ନାଚୁଥିବା ଦୃଶ୍ୟ ଭାଇରାଲ ହେଉଛି । ନୂଆ ବର୍ଷ ଦିନ ନିଜ ଜନ୍ମଦିନ ପଡୁଥିବାରୁ ବିଧାୟକ ଧୁମଧାମରେ ସାଙ୍ଗ ସାଥୀଙ୍କ ସହ ଜନ୍ମଦିନ ଓ ନ୍ୟୁ ଇୟରକୁ ସେଲିବ୍ରେସନ କରିଛନ୍ତି । କେକ୍ କାଟିବା ପରେ ବିଧାୟକ ଅଣ୍ଟାରୁ ପିସ୍ତଲ ବାହାର କରି ମଞ୍ଚ ଉପରେ ସାଥୀ, ସମର୍ଥକଙ୍କ ସହ ନୃତ୍ୟ କରିଛନ୍ତି ।

Advertisment

ହାତରେ ବନ୍ଧୁକ ଧରି ବିଧାୟକ ଦବଙ୍ଗ ଷ୍ଟାଇଲରେ ମେ ହୁଁ ଡନ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । କେବଳ ସେ ନୃତ୍ୟ କରିନାହାନ୍ତି, ମଞ୍ଚ ଉପରେ ପିସ୍ତଲରୁ ଗୁଳି ଫୁଟାଇଛନ୍ତି । ସୋସିଆଲ ମିଡିଆରେ ବିଧାୟକ ସୁନୀଲ ସରାଫଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ସେ ବିବାଦ ଘେରକୁ ଚାଲି ଆସିଛନ୍ତି । ସେପଟେ ଘଟଣାକୁ ଗୁରୁତର ସହ ଗ୍ରହଣ କରି ରାଜ୍ୟ ଗୃହମନ୍ତ୍ରୀ ନରୋତମ ମିଶ୍ର କଂଗ୍ରେସ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁପୁର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବିଧାୟକ ସରାଫଙ୍କ ବିରୋଧରେ କୋତମା ଥାନାରେ ଆଇପିସିର ଧାରା ୩୩୬, ୨୫ ଧାରା ଓ ଆର୍ମସ ଆକ୍ଟରେ ମାମଲା ରୁଜୁ କରାଯାଇଛି ।

ସେପଟେ ବିଧାୟକ ସୁନୀଲ ସରାଫ ସଫେଇ ଦେଇ କହିଛନ୍ତି ମଞ୍ଚ  ଉପରେ ନକଲି ବନ୍ଧୁକରୁ ଗୁଳି କରିଛନ୍ତି । ଲାଇସେନ୍ସ ଥିବା ବନ୍ଧୁକର ପ୍ରତିଟି ଗୁଳିର ହିସାବ ତାଙ୍କ ପାଖରେ ଅଛି ଓ ସେ ପୁଲିସକୁ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଜନ୍ମଦିନ ଅବସରରେ ସାବ ର୍ଜନୀନ ପାର୍ଟି ଚାଲିଥିଲା । ସେଠାରେ ୪ରୁ ୫ ହଜାର ଲୋକ ସାମିଲ ହୋଇଥିଲେ । କ୍ୟାମେରା ଲାଗିଛି, ଲୋକ ଉପସ୍ଥିତ ଅଛନ୍ତି, ସେଠାରେ କଣ ଜଣେ ଜନ ପ୍ରତିନିଧି ବା ଗୁଳି କରିପାରିବ କି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିବା କହିଛନ୍ତି ବିଧାୟକ ସୁନୀଲ ସରାଫ ।