ସମର୍ଥକଙ୍କୁ ବ୍ରହ୍ମପୁର ସାଂସଦଙ୍କ ଚାପୁଡା ମାରିବା ଘଟଣା: ସଫେଇ ରଖିଲେ ଚନ୍ଦ୍ରଶେଖର ସାହୁ; କହିଲେ, ବିଧାୟକଙ୍କୁ ଅପମାନ କରିଥିବାରୁ କରାଗଲା ତାଗିଦ୍

ସେପଟେ ସଂଗ୍ରାମ ସାହୁ କହିଲେ, ତାଙ୍କୁ କେହି ବାଡେଇନାହାନ୍ତି

450

କନକ ବ୍ୟୁରୋ: ସମର୍ଥକଙ୍କୁ ଚାପୁଡା ମାରିବା ନେଇ ଭିଡିଓ ଭାଇରାଲ ହେବା ପରେ ସଫେଇ ରଖିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ସେ କହିଛନ୍ତି, ଦୀର୍ଘ ୨୦ ବର୍ଷ ହେଲା ସେ ସଂଗ୍ରାମକୁ ଜାଣିଛନ୍ତି । ସଂଗ୍ରାମ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ଅପମାନ କରିଛନ୍ତି । ଅପମାନ କରିଥିବାରୁ ସଂଗ୍ରାମକୁ ତାଗିଦ କରାଯାଇଛି । କର୍ମୀଙ୍କୁ ବ୍ରହ୍ମପୁର ସାଂସଦ ଚାପୁଡା ମାରିବା ଭଳି ଅଭାବନୀୟ ଘଟଣା ଘଟଥିଲା ଗଜପତି ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ।

ଘଟଣା ଘଟିବା ବେଳେ ସ୍ଥାନୀୟ ବିଜେଡି ନେତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ମଂଚ ଉପରେ ବିଜେଡିର କିଛି ନେତାଙ୍କ ଗହଳରେ ଉପସ୍ଥିତ ଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ଆଉ ଏହି ପ୍ରଶଂସକଙ୍କୁ ସାଂସଦଙ୍କ ପାଖରେ ଥିବା ବ୍ୟକ୍ତି ଜଣଙ୍କ ବେକରେ ଏକ ଗାମୁଛା ପକାଇବାକୁ ଦେଉଥିଲେ । ହେଲେ ପ୍ରଶଂସକ ଜଣଙ୍କ ଗାମୁଛାକୁ ନିଜ ବେକରେ ନ ପକାଇ ସାଂସଦଙ୍କ ହାତକୁ ବଢାଇ ଦେଇଥିଲେ । ଆଉ ସାଂସଦ ହଠାତ୍ ଏହି ପ୍ରଶଂସକଙ୍କୁ ସର୍ବସମ୍ମୁଖରେ ଏକ ଶକ୍ତ ଚାପୁଡା ମାରିଥିଲେ ।

ସେପଟେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଚାପୁଡା ମାରିବା ଘଟଣାକୁ ଖଣ୍ଡନ କରିଛନ୍ତି କର୍ମୀ ସଂଗ୍ରାମ ସାହୁ । ସେ କହିଛନ୍ତି ସାଂସଦ ତାଙ୍କୁ ଚାପୁଡା ମାରି ନାହାନ୍ତି । ସାଂସଦ ତାଙ୍କ ବଡ ଭାଇ ଭଳି, ତାଙ୍କ ସହ ସେ ୨୦ବର୍ଷ ହେଲା କାମ କରି ଆସୁଛନ୍ତି । ବିଜେଡିରେ ଯୋଗ ଦେବାକୁ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକକୁ ଯାଇଥିଲେ । ତେବେ ବୈଠକରେ ପର୍ଯ୍ୟବେକ୍ଷକ ନୁହେଁ ସାଂସଦଙ୍କ ଠାରୁ ଉତ୍ତରୀୟ ନେବାକୁ ଚାହୁଁଥିଲେ ବୋଲି କହିଛନ୍ତି ସଂଗ୍ରାମ ସାହୁ ।