ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ : ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିବାକୁ କଲେ ଦାବି; କହିଲେ, ଅଶ୍ଲୀଳ ଭିଡିଓ ଭାଇରାଲ ତାଙ୍କୁ ଦେଇଛି ମାନସିକ ନିର୍ଯାତନା

ମିଛ ଖବର ପାଇଁ ହେଉ କାର୍ଯ୍ୟାନୁଷ୍ଠାନ

164

କନକ ବ୍ୟୁରୋ : ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଚିଠି । ଓଟିଭି ବିରୋଧରେ ସ୍ୱାଧୀକାର ଭଂଗ ନୋଟିସ୍ ଦେଇଛନ୍ତି କେନ୍ଦୁଝର ସାଂସଦ । ଅଶ୍ଳିଳ ଭିଡିଓ ଭାଇରାଲ୍ କରି ତାଙ୍କୁ ମାନସିକ ନିର୍ଯାତନା ଦିଆଯାଇଛି । ତାଙ୍କୁ ବଦନାମ କରିବାକୁ ଷଡଯନ୍ତ୍ର କରାଯାଇଛି ବୋଲି ଲୋକସଭା ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ଉଲେଖ କରିଛନ୍ତି କେନ୍ଦୁଝର ସାଂସଦ । ଏହି ଘଟଣାରେ ପୋଲିସ ଓଟିଭି ସାଂବାଦିକ ରମେଶ ରଥଙ୍କୁ ନୋଟିସ୍ କରି ଜେରା କରିଛି ।

ଅକ୍ଟୋବର ୧୫ ପରଠାରୁ ଓଟିଭିରେ ବିଭ୍ରାନ୍ତିକର ଖବର ପରିବେଷଣ କରାଯାଇଛି । ତାଙ୍କ ବିରୋଧରେ ହୋଇଥିବା ଅପରାଧିକ ଷଡଯନ୍ତ୍ରରେ ସାଂବାଦିକ ରମେଶ ରଥ ସଂପୃକ୍ତ ଥିବା ସେ ଅଭିଯୋଗ ଆଣିଛନ୍ତି । ଓଟିଭି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିରୋଧରେ ଖବର ପରିବେଷଣ କରି ତାଙ୍କ ଭାବମୂର୍ତିରେ ଆଂଚ ଆଣିଛି । ଓଟିଭି ଏହାର ସାଂବାଦିକ ରମେଶ ରଥଙ୍କୁ ସୁରକ୍ଷା ଦେବାକୁ ଅନେକ ମିଛ ଖବର ପରିବେଷଣ କରୁଥିବାରୁ ଲୋକସଭା ବାଚସ୍ପତିଙ୍କ ଠାରୁ ସେ ସୁରକ୍ଷା ମାଗିଛନ୍ତି ।

ବିଭ୍ରାନ୍ତିକର ଖବର ପରିବେଷଣ କରୁଥିବା ଓଟିଭି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ଭାରତର ସର୍ବକନିଷ୍ଠ ସାଂସଦ ତଥା ଜଣେ ଆଦିବାସୀ ମହିଳା ଭାବେ ସଂସଦରେ ଓଡିଶାର ପ୍ରତିନିଧିତ୍ୱ କରୁଛନ୍ତି ଚନ୍ଦ୍ରାଣୀ ମୁର୍ମୁ । ସେଥିପାଇଁ ସେ ଓଟିଭି ବିରୋଧରେ ସ୍ୱାଧୀକାର ଭଂଗ ନୋଟିସ ଆଣିବାକୁ ଲୋକସଭା ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି । ଏହା ସହିତ ଲୋକସଭା ବାଚସ୍ପତିଙ୍କ ଠାରୁ ସେ ସୁରକ୍ଷା ମାଗିଛନ୍ତି ।