ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଭାଇରାଲ ଭିଡିଓ ମାମଲାରେ ନୂଆ ମୋଡ଼ । ଓଟିଭି ସାମ୍ବାଦିକ ରମେଶ ରଥଙ୍କୁୁ ଉଠାଇନେଲା କେନ୍ଦୁଝର ପୁଲିସ୍ । ଆଇପି ଆଡ୍ରେସ୍ ଟ୍ରାକିଂରୁ ମିଳିଲା ସୁରାକ । ଆବଶ୍ୟକ କାଗଜ ପତ୍ର ଯାଂଚ ପରେ ମୁକ୍ତ ହେଲେ ସାମ୍ବାଦିକ ।

559

କନକ ବ୍ୟୁରୋ : ସାଂସଦ ଚନ୍ଦ୍ରାଣି ମୁର୍ମୁ ଭାଇରାଲ ଭିଡିଓ ମାମଲାରେ ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ଆଜି ଉଠାଇ ନେଇଥିଲା ପୋଲିସ୍ । ଚନ୍ଦ୍ରାଣି ମୁର୍ମୁ ଭାଇରାଲ ଭିଡିଓ ମାମଲାରେ ଆଇପି ଆଡ୍ରେସ ଟ୍ରାକିଂ କରି ପୋଲିସ ରମେଶ ରଥଙ୍କ ଲିଙ୍କ ପାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । ତାଙ୍କଠାରୁ ଆବଶ୍ୟକ କାଗଜପତ୍ର ଜବତ କରିବା ପରେ ତାଙ୍କୁ ଛାଡି ଦେଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ ୨୦୧୯ରେ ଚନ୍ଦ୍ରାଣି ମୁର୍ମୁ ଭାଇରାଲ ଭିଡିଓ ମାମଲାରେ ଗିରଫ ହୋଇଥିବା ଓଟିଭି ସାମ୍ବାଦିକ ସୀମାଂଚଳ ପାତ୍ର, ରମେଶ ରଥଙ୍କ ନାଁରେ ଅଭିଯୋଗ କରି କହିଥିଲେ ସେ ଏହି ଭିଡିଓ ତାଙ୍କଠାରୁ ପାଇଥିଲେ । ଏହି ମାମଲାରେ କୁଆଡେ ପୁଲିସ ରମେଶଙ୍କୁ ଏକାଧିକ ବାର ପଚରାଉଚରା ପାଇଁ ନୋଟିସ କରିଥିଲା ।

ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ସେ ହାଜର ହୋଇ ନଥିଲେ । ତାପରେ ଆଜି ତାଙ୍କୁ ଧରି ନିକଟସ୍ଥ ଥାନାକୁ ନେଇ ଯାଇଥିଲେ ।ପରେ ଓଟଭି ଅଫିସ ଆସି ସେଠାରୁ ତାଙ୍କ କମ୍ପ୍ୟୁଟରର ହାର୍ଡଡିସ୍କ ମଧ୍ୟ ଜବତ କରିଥିଲେ । ଏହାପରେ ତାଙ୍କୁ ମୁକ୍ତ କରିଥିଲା ପୋଲିସ୍ ।