ଡକାୟତ ଗ୍ୟାଙ୍ଗରେ ସାଂସଦଙ୍କ ପ୍ରତିନିଧି ! ଅପରାଜିତାଙ୍କ ସହ ଅଭିଯୁକ୍ତର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ।

5,223
କନକ ବ୍ୟୁରୋ  : ଡକାୟତ ଗ୍ୟାଙ୍ଗରେ ସାଂସଦଙ୍କ ପ୍ରତିନିଧି! ଏଭଳି ଏକ ସାଂଘାତିକ ଘଟଣା ଏବେ ସାମ୍ନାକୁ ଆସିଛି । ଗତ ୭ ତାରିଖରେ ସହିଦନଗର ପୋଲିସ ଗିରଫ କରିଥିବା ଏକ ଡକାୟତ ଗ୍ୟାଙ୍ଗରେ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଥିବା କୁହାଯାଉଛି । ଏପରିକି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହ ଗିରଫ ହୋଇଥିବା ଅଭିଯୁକ୍ତର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ମିଳିଥିବା ସୂଚନା ମୁତାବକ, ଗତ ୭ ତାରିଖ ରାତିରେ ରାଜଧାନୀରେ ଏକ ଡକାୟତ ଗ୍ୟାଙ୍ଗକୁ ଧରିଥିଲା ପୋଲିସ । ଡକାୟତି ଉଦ୍ୟମକୁ ପଣ୍ଡ କରି ଡକାୟତ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଥିଲା ସହିଦନଗର ପୋଲିସ । ସେମାନଙ୍କ ଠାରୁ କାର, ବନ୍ଧୁକ, ଗୁଳି ସହ ଲୁହାରଡ ଜବତ କରିଥିଲା ପୋଲିସ । ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବିଶ୍ୱଜିତ ସ୍ୱାଇଁ ନାମକ ଯୁବକ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ୱାର୍ଡ ପ୍ରତିନିଧି ବୋଲି ଜଣାପଡିଛି ।
ବିଏମସିର ୧୭ ନମ୍ବର ୱାର୍ଡରେ ଅପରାଜିତାଙ୍କ ପ୍ରତିନିଧି ଭାବେ କାମ କରୁଥିଲା ବିଶ୍ୱଜିତ୍ । ଏପରିକି ଅପରାଜିତାଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ବିଶ୍ୱଜିତଙ୍କୁ ଦେଖିବାକୁ ମିଳିଛି । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ତେଣୁ ଏଠି ପ୍ରଶ୍ନ ଉଠୁଛି ବିଶ୍ୱଜିତଙ୍କ ଅପରାଧିକ କାର୍ଯ୍ୟକଳାପ ବାବଦରେ ଜାଣିନଥିଲେ କି ଅପରାଜିତା? ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତି ଥିବା ଜଣେ ଯୁବକଙ୍କୁ ଅପରାଜିତା ନିଜର ପ୍ରତିନିଧି ଭାବରେ କିଭଳି ବାଛିଲେ ।  ଏବେ ବିଶ୍ୱଜିତଙ୍କ ଗିରଫ ପରେ ଅପରାଜିତାଙ୍କ ଆଭିମୁଖ୍ୟ କଣ ରହୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ତେବେ ଏହି ଗିରଫଦାରୀ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।