କାହା ଉପର ରାଗ, କାହା ଉପରେ ସୁଝାଇଲେ ? ରିଷଭଙ୍କୁ ହଟାଇ, ଅନୁ ଚୌଧୁରୀଙ୍କୁ ବେଗୁନିଆ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ଦେଲେ ଅପରାଜିତା । କେନ୍ଦ୍ରମନ୍ତ୍ରୀଙ୍କ ନିକଟତର ହୋଇଥିବାରୁ ରିଷଭଙ୍କ ଉପରେ ନିଆଗଲା କି ପଦକ୍ଷେପ ?

କେନ୍ଦ୍ରମନ୍ତ୍ରୀଙ୍କ ନିକଟତର ହୋଇଥିବାରୁ ରିଷଭ ନନ୍ଦଙ୍କ ଉପରେ ନିଆଗଲା କି ପଦକ୍ଷେପ ? କଣ କରିବେ ରିଷଭ, ପ୍ରସଙ୍ଗକୁ ନେବେ କି ଦିଲ୍ଲୀ ଦରବାର ?

5,158

କନକ ବ୍ୟୁରୋ: ରାଜନୀତିର ପଶାପାଲିରେ ଫଶିଗଲେ ରିଷଭ ନନ୍ଦ । ୨୦୧୯ରେ ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟରେ ଲଢି ପରାଜିତ ହୋଇଥିବା ନେତା ପରବର୍ତ୍ତୀ ପର୍ଯ୍ୟାୟରେ ନିଜ ସଂସଦୀୟ କ୍ଷେତ୍ରର ନେତ୍ରୀଙ୍କ ଆସ୍ଥା ଓ ବିଶ୍ୱାସ ହରାଇଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କୁ ବେଗୁନିଆ ନିର୍ବାଚନ ମଣ୍ଡଳୀର ପ୍ରତିନିଧି ପଦରୁ ହଟାଇ ଦେଇଛନ୍ତି । କେଉଁଥିପାଇଁ ଅପରାଜିତା ଏହି ପଦକ୍ଷେପ ନେଇଛନ୍ତି ଯଦିଓ ତାହା ସ୍ପଷ୍ଟ ହୋଇନାହିଁ, ହେଲେ ରିଷଭଙ୍କୁ ହଟାଇ ସେ ଦଳୀୟ ସଂଗଠନକୁ ଏକ କଡା ବାର୍ତ୍ତା ଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା କରାଯାଉଛି ।
୨୦୧୯ ନିର୍ବାଚନର ଠିକ ପୂର୍ବରୁ ରିଷଭ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ଦଳ ତାଙ୍କୁ ଟିକେଟ ଦେବାର ସମ୍ଭାବନା କମ ଥିବାରୁ ସେ ଦଳ ପରିତ୍ୟାଗ କରିଥିଲେ । ବଡ କଥା ହେଉଛି ରିଷଭଙ୍କ ବାପା ପ୍ରଶାନ୍ତ ନନ୍ଦ ରାଜ୍ୟସଭା ସାଂସଦ ଥିବା ବେଳେ ଦଳ ଭିତରେ ତାଙ୍କର ଏକ ଖାଦି ବି ରହିଥିଲା । ହଠାତ୍ ପୁଅ ଦଳ ଛାଡିବା ପରେ ବାପାଙ୍କ ଭାବମୂର୍ତ୍ତି ମଧ୍ୟ ମଳିନ ହୋଇଥିଲା । ୨୦୧୯ରେ ବିଜେପି ଟିକେଟ ପାଇଥିବା ରିଷଭ ନିର୍ବାଚନ ହାରିଯାଇଥିଲେ । ଆଉ ଏହାପରେ ଅପରାଜିତାଙ୍କ ସହ ସାମଞ୍ଜସ୍ୟ ରକ୍ଷା କରି କାମ କରୁଥିବା ରିଷଭଙ୍କ ଉପରେ ହଠାତ୍ ଅପରାଜିତା ଆସ୍ଥା ହରାଇଲେ କାହିଁକି, ତାକୁ ନେଇ ଆରମ୍ଭ ହୋଇଛି ସମୀକ୍ଷା ।

ଗତ ୧୫ ତାରିଖରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସାଂସଦ ପ୍ରତିନିଧି ବଦଳାଉଥିବା କଥା ଉଲ୍ଲେଖ ରହିଛି । ଏଥିରେ କୁହାଯାଇଛି, ରିଷଭ ନନ୍ଦଙ୍କ ଜାଗାରେ ଅନୁ ଚୈାଧୁରୀ ଏଣିକି ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରତିନିଧି ଭାବେ କାର୍ଯ୍ୟ କରିବେ । ଆଗକୁ ବେଗୁନିଆ ନିର୍ବାଚନ ମଣ୍ଡଳୀ ପାଇଁ ସମସ୍ତ ତଥ୍ୟ ଆଦାନ ପ୍ରଦାନ ବାବଦରେ ଅନୁ ଚୈାଧୁରୀଙ୍କ ସହ ସାଂସଦଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ ଏହି ଚିଠିରେ ଅପରାଜିତା କହିଛନ୍ତି ।

ପ୍ରଶ୍ନ ଉଠୁଛି, ହଠାତ୍ ଏଭଳି ପଦକ୍ଷେପ କାହିଁକି ନେଲେ ଅପରାଜିତା ଷଡଙ୍ଗୀ ? ରିଷଭ ନନ୍ଦଙ୍କ ବାବଦରେ କିଛି ଅଭିଯୋଗ ତାଙ୍କର ହସ୍ତଗତ ହେଲା କି? ନିର୍ବାଚନ ମଣ୍ଡଳୀର ଦାୟିତ୍ୱକୁ ସଠିକ ଭାବେ ରିଷଭ ସମ୍ପାଦନ କରୁନଥିଲେ କି? ନା ସାଂଗଠନିକ ନିର୍ବାଚନ ପରେ ଅପରାଜିତା କିଛି ଏଭଳି ପଦକ୍ଷେପ ନେଲେ ଯାହା ଦଳୀୟ ନେତୃତ୍ୱ ଆଉ ପାୱାର ସେଂଟରକୁ ଗୋଟିଏ କଡା ବାର୍ତ୍ତା ଦେଲା? ଏମିତି ଅନେକ ପ୍ରଶ୍ନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ବିଜେପିର ଆଭ୍ୟନ୍ତରୀଣ ମହଲରେ ଚାଲିଥିବା ଚର୍ଚ୍ଚା ଅନୁସାରେ, କ୍ଷମତାକୁ ନେଇ ଚାଲିଥିବା ଲଢେଇର ଏହା ପ୍ରତିଫଳନ ହୋଇଥାଇପାରେ । ରାଜ୍ୟ ସଂଗଠନ ନିର୍ବାଚନ ପରେ ଅପରାଜିତା ଏକ କଡା ବାର୍ତ୍ତା ଦେବାକୁ ଚାହୁଁଥିଲେ । ଏମିତିରେ ବି ରିଷଭ ନନ୍ଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପର ବୋଲି ଚର୍ଚ୍ଚା ହେଉଛି । ସେଥିପାଇଁ ଅପରାଜିତା ଏଭଳି ଏକ ପଦକ୍ଷେପ ନେଇଥାଇପାରନ୍ତି ବୋଲି ବିଜେପିର କିଛି ନେତା ବିଶ୍ୱାସ କରୁଛନ୍ତି । ହେଲେ ଏହାର ସତ୍ୟତା ବାବଦରେ ସେଭଳି କିଛି ତଥ୍ୟ ସାମ୍ନାରେ ନାହିଁ ।

କିନ୍ତୁ ଗୋଟିଏ କଥା ସ୍ପଷ୍ଟ, ଅପରାଜିତା ନିଜର ଏକ ସମାନ୍ତରାଳ ସଂଗଠନ ଧରି ଆଗକୁ ବଢିବାକୁ ଲଗାତର ଭାବେ ଉଦ୍ୟମ କରି ଆସୁଛନ୍ତି । ଯାହାକୁ ନେଇ ରାଜ୍ୟ ବିଜେପିରେ ଅତୀତରେ ଚାପା ଗୁଞ୍ଜରଣ ବି ଶୁଣିବାକୁ ମିଳିଥିଲା । ଆଉ ଏବେ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପରେ ଏହି ବିବାଦ ଆଉ ଏକ ସ୍ତରକୁ ଯାଇଥିବା କୁହାଯାଉଛି । ରିଷଭ ଏହି ପୂରା ପ୍ରସଙ୍ଗକୁ ନେଇ ମୁହଁ ଖୋଲୁନଥିବା ବେଳେ ଭିତରେ ଭିତରେ ଗୋଟି ଚଳାଉଥିବା ଶୁଣିବାକୁ ମିଳୁଛି ।

ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ରିଷଭଙ୍କ ପଛରେ ଆରଏସଏସର ମଧ୍ୟ ସମର୍ଥନ ରହିଛି । ସଂଘ ଏହୁି ନିଷ୍ପତ୍ତିରେ ବି ଖୁସି ନଥିବା କୁହାଯାଉଛି । ଯେଉଁଭଳି ଭାବେ ଅପରାଜିତା ଷଡଙ୍ଗୀ ଦଳର ମୂଳ ବ୍ୟବସ୍ଥାକୁ ନବୁଝି ଦଳୀୟ ବ୍ୟବସ୍ଥା ବାହାରେ ଯାଇ କାର୍ଯ୍ୟ କରୁଛନ୍ତି, ସେନେଇ କିଛି ନେତା ରାଜ୍ୟ ସଭାପତିଙ୍କ ପାଖରେ ଫେରାଦ ହେବା ପ୍ରସଙ୍ଗକୁ ଦିଲ୍ଲୀ ଦରବାରକୁ ନେବା ପାଇଁ ପ୍ରସ୍ତୁତି କରିଥିବା ସୂଚନା ମିଳିଛି ।