ବିବାଦ ବଢାଇଲା ବାର୍ଥ ଡେ ପାର୍ଟି ? କୋଭିଡ ନିୟମ ଭାଙ୍ଗିବା ନେଇ ସାଂସଦ ଅପରାଜିତାଙ୍କ ନାଁରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

735

କନକ ବ୍ୟୁରୋ: ନେତା ଭାଙ୍ଗୁଛନ୍ତି କୋଭିଡ ନିୟମ । କୋଭିଡ କଟକଣାକୁ କଡାକଡି କରି ଓଡିଶା ସରକାର ନିୟମ ଉଲ୍ଲଙ୍ଘନ ପାଇଁ ୧ ଲକ୍ଷ ଟଙ୍କା ଯାଏଁ ଜୋରିମାନାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ନେତାମାନେ ଏହି ନିୟମକୁ ଖାତିର କରୁନାହାନ୍ତି । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଜନ୍ମଦିନ ପାଟିର ଦୃଶ୍ୟ ଦେଖିଲେ ଆପଣ ଏହା ସହଜରେ ବୁଝିପାରିବେ । ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଛନ୍ତି । କିନ୍ତୁ କାହା ମୁହଁରେ ମାସ୍କ ନାହିଁ ଏବଂ ସାମାଜିକ ଦୂରତା ମଧ୍ୟ ନାହିଁ ।

କୋଭିଡ କଟକଣା ବଳବତର ଥିବା ବେଳେ ଅପରାଜିତାଙ୍କ ବର୍ଥ ଡେ ପାର୍ଟି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଏକାଠି ହୋଇ ପାର୍ଟି କରୁଥିବାର ଏହି ଦୃଶ୍ୟରେ ରେକର୍ଡ କରାଯାଇଛି । ତେବେ ଅପରାଜିତାଙ୍କ ବର୍ଥଡେ ପାର୍ଟିକୁ ନେଇ ଆପତ୍ତି ଉଠାଇଲେ ଗୃହରାଷ୍ଟ୍ର ମନ୍ତ୍ରୀ । କେନ୍ଦ୍ର ଗୃହ ବିଭାଗକୁ ଚିଠି ଲେଖିଲେ ଦିବ୍ୟଶଙ୍କର ମିଶ୍ର । ଚିଠିରେ ଦିବ୍ୟ ଶଙ୍କର ଲେଖିଛନ୍ତି, ଯଦି ଏଭଳି କୋଭିଡ ନିୟମ ଉଲ୍ଲଂଘନ ପ୍ରଥମ ଥର ହୋଇଥାନ୍ତା, ତେବେ ମୁଁ ଏହା ଆପଣଙ୍କ ନଜରକୁ ଆଣିନଥାନ୍ତି । ସାଂସଦ ଅପରାଜିତାଙ୍କ ନାଁରେ ତିନି ଥର କୋଭିଡ ନିୟମ ଉଲ୍ଲଂଘନ ନେଇ ମାମଲା ହେଲାଣି, କିନ୍ତୁ ତାଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସୁ ନାହିଁ । ରାଜ୍ୟରେ ଅନେକ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ହୋଇସାରିଲାଣି । ଏଭଳି ଦାୟିତ୍ୱହୀନ ବ୍ୟବହାର କୋଭିଡ ଯୋଦ୍ଧାଙ୍କ ପାଇଁ ଏକ ଅପମାନ । ଏହାଛଡା ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ଓ ଅହ୍ୱାନର ଏହା ବିରୋଧାଭାସ କରୁଛି । ସେ ଜଣେ ଜନପ୍ରତିନିଧି ଏବଂ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ମଧ୍ୟ । ତେଣୁ ସେ କୋଭିଡ ନିୟମ ମାନି ଅନ୍ୟମାନଙ୍କୁ ପ୍ରେରଣା ଦେବା ଉଚିତ । କେବଳ ଭୁବନେଶ୍ୱରରେ କୋଭିଡରେ ୧୦୯ ଜଣ ଓ ୫ ଜଣ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇସାରିଲାଣି । ମୁଁ ଆଶା କରୁଛି, ଆପଣ ଏହି ଘଟଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୃଷ୍ଟିକୁ ଆଣିବେ ଏବଂ ସାଂସଦଙ୍କୁ ପରାମର୍ଶ ଦେବେ ଅନ୍ୟମାନଙ୍କ ଜୀବନକୁ ବିପଦରେ ନପକାଇବା ପାଇଁ ।

ରାଷ୍ଟ୍ରୀୟ ପ୍ରବକ୍ତା ନିଯୁକ୍ତି ପରେ ଭୁବନେଶ୍ୱର ଫେରିବା ସମୟରେ ବିମାନବନ୍ଦରରେ ଗଣମାଧ୍ୟମ ପ୍ରତିନିଧିମାନେ କୋଭିଡ ନିୟମ ଉଲ୍ଲଂଘନ ନେଇ ତାଙ୍କୁ ପ୍ରଶ୍ନ ପଚାରିଥିଲେ । କିନ୍ତୁ ଓଲଟା ଅପରାଜିତା ପ୍ରଶ୍ନ କରିଥିଲେ, ଯଦି ସେ ନିୟମ ମାନୁ ନାହାନ୍ତି, ତେବେ ତାଙ୍କୁ କରୋନା ହେଉ ନାହିଁ କାହିଁକି ।

କେବଳ ଅପରାଜିତା ନୁହଁନ୍ତି, କିଛି ଦିନ ପୂର୍ବରୁ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶବ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ ଏବଂ କୋଭିଡ କଟକଣାକୁ କେହି ମାନିନଥିଲେ । ଏହାଛଡା କଂଗ୍ରେସ ପ୍ରଭାରୀ ଚେଲାକୁମାରଙ୍କ ଗସ୍ତରେ ମଧ୍ୟ କୋଭିଡ କଟକଣାକୁ ଅଣଦେଖା କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା