ଜ୍ୟୋତିରଞ୍ଜନଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଲେ ସାଂସଦ ଅପରାଜିତା । କହିଲେ ମୁଁ ମର୍ମାହତ..ମୁଁ ଲଜ୍ଜିତ…

145

କନକ ବ୍ୟୁରୋ: ତିନି ଦିନିଆ ସୁରତ ଗସ୍ତରୁ ଫରିବା ପରେ ଜ୍ୟୋତିରଞ୍ଜନଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । କହିଛନ୍ତି, ମୁଁ ବହୁତ ମର୍ମାହତ, ମୁଁ ଲଜ୍ଜିତ…ସାଂସଦ ହିସାବରେ ମୁଁ ତାଙ୍କ ଘରକୁ ଯାଉଛି । ସାଂସଦ ଭାବେ ଏହା ମୋର ଦାୟିତ୍ୱ ଏବଂ କର୍ତ୍ତବ୍ୟ । ବର୍ତ୍ତମାନ ରାଜ୍ୟ ସରକାର ଉତ୍ତର ଦେବାର ଆବଶ୍ୟକ । ୬ ବର୍ଷରେ ୭ ଜୀବନ ଗଲାଣି କିଏ ଦାୟୀ ?୧୩ଟି ନ୍ୟାଚୁରାଲ ଡ୍ରେନ କ୍ଷେତ୍ରରେ ଯେଉଁ ପ୍ରବନ୍ଧନ ହେବା କଥା କାହିଁଙ୍କି ହୋଇନି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏଥିସହିତ ଫେବୃଆରୀ ୨୦୨୦ରେ ଭୁବନେଶ୍ୱରର ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ଉତ୍ତର ମିଳିନି ବୋଲି ଅପରାଜିତା କହିଛନ୍ତି । ୨୦୧୯ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଡ୍ରେନେଜ ବ୍ୟବସ୍ଥା ପାଇଁ ଘୋଷଣା କରିଥିବା ୧୦୦୦ କୋଟିର ପ୍ରତିଶ୍ରୁତି କାହିଁକି ପ୍ରତିଶ୍ରୁତିରେ ହିଁ ରହିଗଲା ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ଆମକୁ ଆଗାମୀ ଦିନରେ ଡ୍ରେନେଜ୍ ପ୍ଲାନର ଆବଶ୍ୟକ ରହିଛି, କେନ୍ଦ୍ର ସରକାରଙ୍କ ତରଫରୁ ଯାହା ସାହାଯ୍ୟ ଦରକାର ଆମେ କରିବାକୁ ପ୍ରସ୍ତୁତ୍ ।

ଖାଲି ସେତିକି ନୁହେଁ, ଅପରାଜିତା ଆହୁରି ମଧ୍ୟ କହିଛନ୍ତି ଯେ, କିଛି ଦିନ ତଳେ ମୁଁ ୧୨୦ ବାଟାଲିୟନ୍ ପାଖରେ ଜମି ରହୁଥିବା ପାଣିର ସମାଧାନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲି । ସେଥିପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦିଆଯିବା ନେଇ ମଧ୍ୟ ଲେଖା ଥିଲା । ମାତ୍ର ଏ ପର୍ଯ୍ୟନ୍ତ କାମ ହୋଇନି, ଆମକୁ ରାଜ୍ୟର ଡ୍ରେନେଜ ସ୍ଥିତି ସୁଧାରିବା ପାଇଁ ସ୍ଥାୟୀ ସମାଧାନ ଦରକାର। ମୁଁ ୪ ବର୍ଷ ମ୍ୟୁନିସିପାଲ କମିଶନର ଥିଲି, ଜଣେ କର୍ମଚାରୀ ଭାବେ ମୋ ଦାୟିତ୍ୱ ନିଭାଇଥିଲି, ମାତ୍ର ୨୧ ବର୍ଷ ଗୋଟିଏ ରାଜନୈତିକ ଦଳ କାମ କରୁଛି, ହେଲେ ଏ ପର୍ଯ୍ୟନ୍ତ ଡ୍ରେନରେ ପଡି କାହିଁକି ଜୀବନ ଯାଉଛି ବୋଲି ଅପରାଜିତା କହିଛନ୍ତି ।