ଗୌତମ ଗମ୍ଭୀରଙ୍କୁ ଆଇଏସଆଇଏସର ହତ୍ୟା ଧମକ । ଘର ଚାରିପଟେ କଡା ସୁରକ୍ଷା ବଳୟ

301

କନକ ବ୍ୟୁରୋ: ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ଜୀବନରୁ ମାରିଦେବାକୁ ମିଳିଛି ଧମକ । ଆଇଏସଆଇଏସ କାଶ୍ମୀର ପକ୍ଷରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ଗମ୍ଭୀର ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ଦାଏର କରିଛନ୍ତି ।

ସୂଚନା ମୁତାବକ, ଦିଲ୍ଲୀ ପୋଲିସ ଏହି ମାମଲାରେ ଯାଞ୍ଚ ଆରମ୍ଭ କରିବା ସହ ଗମ୍ଭୀରଙ୍କ ବାସ ଭବନ ଚାରିପଟେ କଡା ପ୍ରହରୀ ମୁତୟନ କରିଛନ୍ତି । ଦିଲ୍ଲୀ ଡିସିପି ଶ୍ୱେତା ଚୌହାନଙ୍କ କହିବା କଥା , ମଙ୍ଗଳବାର ତାଙ୍କୁ ହତ୍ୟା ଧମକ ମିଳିବା ନେଇ ଗମ୍ଭୀର ଅଭିଯୋଗ କରିବା ପରେ ତାଙ୍କ ସୁରକ୍ଷା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରିଥିବା କହିଛନ୍ତି । ଉଭୟ ଫୋନ କଲରେ ଏବଂ ଇମେଲରେ ତାଙ୍କୁ ଆଇଏସଆଇଏସ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଗମ୍ଭୀର ।

କହିରଖୁଁ କି, ଗୌତମ ଗମ୍ଭୀର ପୂର୍ବ ଦିଲ୍ଲୀରୁ ଲୋକସଭାରେ ସାଂସଦ ଅଛନ୍ତି ।  ତେବେ ନିକଟରେ ପଂଜାବ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜ୍ୟୋତ୍ ସିଂ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିଜ ବଡ ଭାଇ ବୋଲି କହିବା ପରେ ଏନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଥିଲେ ଗମ୍ଭୀର । ପ୍ରଥମେ ସୀମାକୁ ନିଜ ସନ୍ତାନଙ୍କୁ ପଠାଅ  । ତା’ପରେ ଯାଇ ଆତଙ୍କୀଙ୍କ ଆଡ୍ଡା ଥିବା ଦେଶର ମୁଖିଆଙ୍କୁ ନିଜ ଭାଇ ବୋଲି କହିବ ବୋଲି କହିଥିଲେ ଗମ୍ଭୀର ।  ସିଦ୍ଧୁଙ୍କ ଇମ୍ରାନ ପ୍ରୀତିକୁ ନେଇ ଦେଇଥିବା ଗମ୍ଭୀରଙ୍କ ଏହି ବୟାନ ଯୋଗୁଁ ତାଙ୍କୁ ଆଇଏସଆଇଏସ୍ ହତ୍ୟା ଧମକ ଦେଇଥିବା ଆଲୋଚନା ହେଉଛି ।