ସନ୍ଧ୍ୟା ୭ରୁ ସକାଳ ୭ ଘରୁ ଗୋଡ କାଢିବା ମନା । ୧୩ ଦିନ ଯାଏଁ ସାରା ରାଜ୍ୟରେ ୧୨ ଘଣ୍ଟା ପାଇଁ ସବୁ ବନ୍ଦ । ଘରୁ ନବାହାରିବା ଉପରେ ଲାଗିଲା କଡା କଟକଣା ।

11,553

କନକ ବ୍ୟୁରୋ: ସାରା ରାଜ୍ୟ ପାଇଁ ପୁଣି ନୂଆ କଟକଣା । ସନ୍ଧ୍ୟା ୭ରୁ ସକାଳ ୭ ଘରୁ ବାହାରିବା ମନା । ୧୨ ଘଣ୍ଟା ଯାଏଁ କେହି ଘରୁ ଗୋଡ କାଢି ପାରିବେନି । ରାଜ୍ୟର ସମସ୍ତ ୩ଟି ଜୋନରେ ବନ୍ଦ ରହିବ ଚଳପ୍ରଚଳ । ପୂରା ଓଡିଶାରେ ଅଖ ଚକ ବନ୍ଦ ରହିବ । ତେବେ ଜରୁରୀ ସେବା ଛଡା ଅନ୍ୟ କୌଣସି କାମରେ କେହି ବାହାରି ପାରିବେନି ବୋଲି କେନ୍ଦ୍ର ସରକାରଙ୍କ ନୂଆ ଗାଇଡ ଲାଇନକୁ ଟୁଇଟ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ତେବେ ଯାହା କାମ କରିବା କଥା ସକାଳ ୭ରୁ ସନ୍ଧ୍ୟା ୭ ମଧ୍ୟରେ କରି ପାରିବେ । ମାତ୍ର ସନ୍ଧ୍ୟା ପରେ କେହି ରାତିର ୧୨ ଘଣ୍ଟା ଯାଏଁ ପଦାକୁ ବାହାରି ପାରିବେନି । ତେବେ ଆଜି ଠାରୁ ଏହି କଟକଣା ଲାଗୁ ହେବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ମେ ୧୭ ତାରିଖ ଯାଏଁ ଏହି କଟକଣା ଲାଗୁ ହେବ । ତେବେ ଏହି ସମୟରେ ସମସ୍ତେ ଘରେ ରହିବାକୁ ପୋଲିସ କମିଶନର ଅନୁରୋଧ କରିଛନ୍ତି ।

ଲୋକଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ତେବେ କଟକଣା ସମୟରେ ଜରୁରୀ ସେବା ଓ ପରିବହନ ଚାଲିବ । ଜରୁରୀ ସେବାରେ ଥିବା କର୍ମଚାରୀ କଟକଣାରୁ ବାଦ୍ ।