ଜୀବିକା ପାଇଁ ଜୀବନ ହରାଇବା ପରେ ବଢିଲା ଦାଦନ ପରିବାରର ଦୁଃଖ: ରାୟପୁର ବସ ଦୁର୍ଘଟଣାରେ ମୃତକଙ୍କ ଜଳିଲା ଜୁଇ; ରୋଜଗାରିଆ ପୁଅକୁ ହରାଇବା ପରେ କେମିତି ଚଳିବ ସଂସାର, ସେହି ଚିନ୍ତାରେ ସଂପର୍କୀୟ

167

କନକ ବ୍ୟୁରୋ: ଦୁର୍ଘଟଣା ପରିବାର ପାଇଁ ଏମିତି ଦୁଃଖ ଆଣିଦେବ ଏକଥା ଘରୁ ଗୋଡ କାଢିଲା ବେଳକୁ ଜାଣିନଥିଲା ରୋଜଗାରିଆ ପୁଅ । କିନ୍ତୁ ଏବେ ସ୍ଥିତି ଏମିତି ହୋଇଛି ପରିବାର ଲୋକେ ଆଗକୁ ଚଳିବେ କେମିତି ସେହି ଚିନ୍ତା ମାଡିବସିଛି । ଜୀବିକା ପାଇଁ ଆଗକୁ ବଢୁଥିବା ବେଳେ ଜୀବନ ଯାଇଛି । ଏବେ ପରିବାର ଲୋକେ ଜାଣିଛନ୍ତି ଆଉ ଫେରିବନି ରୋଜଗାରିଆ ପୁଅ, ଆଉ ଫେରିବନି ରୋଜଗାରିଆ ସ୍ୱାମୀ । ଆଗକୁ କେମିତି ଜୀବନ ବଂଚିବେ, କେବଳ ଭଗବାନଙ୍କ ଭରସାରେ ରହିଛନ୍ତି ମୃତକଙ୍କ ପରିବାରଲୋକେ ।

ଜୀବିକା ପାଇଁ ବାହାର ରାଜ୍ୟକୁ ଯାଉଥିବା ବେଳେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଏବେ ପ୍ରାଣ ହରାଇଥିବା ପରିବାର ପାଇଁ ଏମିତି ଦୁଃଖ ଆଣିଛି ଯାହା କେବଳ ଦେଖିଲେ ହିଁ ଅନୁଭବ କରିହୁଏ । ମୃତକଙ୍କ ପରିବାରରେ ପଡିଛି କାନ୍ଦ ବୋବାଳି । ଆମେ ଆପଣଙ୍କୁ ଦେଖାଉଛୁ ଦୁଇଟି ପରିବାରର ଦୃଶ୍ୟ । ଦୁର୍ଘଟଣାରେ ପରିବାରର ରୋଜଗାରିଆ ପୁଅକୁ ହରାଇଥିବା ମା , ରୋଜଗାରିଆ ସ୍ୱାମୀକୁ ହରାଇଥିବା ସ୍ତ୍ରୀ ଅବ କେମିତି କୋହ ସମ୍ଭାଳିବ ।

ଗଞ୍ଜାମ ଜିଲ୍ଲା ବାଦୀ ଆମ୍ବ ଗାଁର କୌଳାସ ଜେନା । ପୁଅର ବର୍ଷପୁରାଣି ସାରି ଫେରୁଥିଲେ କର୍ମଭୂମିକୁ । ରାୟପୁରର ଦୁର୍ଘଟଣା ପୁରା ଚିତ୍ର ବଦଳାଇଦେଲା । ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ କୈଳାସଙ୍କ ସଂସାର । ଏବେ ପରିବାର କେମିତି ଚଳିବ ସେହି ବୋଝ ମାଡିବସିଛି ।
ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ କେ ନୂଆ ଗାଁର ଯୁଧିଷ୍ଠିର ନାୟକ । ସୁରଟରେ ସୁତାକଳରେ କାମ କରି ପରିବାର ଚଳାଉଥିଲେ ଯୁଧିଷ୍ଠିର । କୌଣସି କାମଧନ୍ଦା ନପାଇ ବସରେ ବାହାରିଥିଲେ ସୁରତ । ହେଲେ ବସ ଦୁର୍ଘଟଣା ଜୀବନ ଜୀବିକାରେ ଫୁଲଷ୍ଟଫ ଲଗାଇ ଦେଇଛି । ରୋଜଗାରିଆ ପୁଅକୁ ହରାଇ ଭୋ ଭୋ ହୋଇ କାନ୍ଦୁଛନ୍ତି ପରିବାର ଲୋକେ ।

କେବଳ କୈଳାସ କିମ୍ବା ଯୁଧୀଷ୍ଟିର ନୁହନ୍ତି, ଏମିତି ଦୁର୍ଘଟଣାର ଶିକାର ହୋଇଥିବା ଆଉ କିଛି ପରିବାରରେ ମଧ୍ୟ ସମାନ ସ୍ଥିତି । କାରଣ ସେମାନେ ଜାଣିଛନ୍ତି, ଯେତେବେଳେ ରାଜଗାରିଆ ଲୋକଟି ଆରପାରିକୁ ଚାଲିଯାଏ , ପରିବାରର, ପିଲାମାନଙ୍କର ସ୍ଥିତି କଣ ହୁଏ ।