କନକ ବ୍ୟୁରୋ : କାନ୍ଦ ବୋବାଳିରେ ଫାଟି ପଡୁଥିଲା ସାରା ପରିବେଶ । କିଏ ନିଜର ଗୋଟେ ମାତ୍ର ପୁଅକୁ ହରାଇ ମର୍ମାହତ ହୋଇପଡିଛି ତ ପୁଣି କିଏ ସ୍ୱାମୀକୁ ହରାଇ ହତବାକ ହୋଇଛି । ଛୁଟିରେ ବାପା ଘରକୁ ଆସିବେ ବୋଲି ଚାହିଁବସିଛନ୍ତି କୁନି କୁନି ଛୁଆ । ସେପେଟେ ବୃଦ୍ଧ ବାପା ମା ଓ ସ୍ତ୍ରୀ ମଧ୍ୟ ବୀର ପୁଅ ଓ ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁବସିଛନ୍ତି । କିନ୍ତୁ ଏବେ ଏହି ଅପେକ୍ଷା ଆଉ ସରିବନି । କାରଣ ଦେଶପାଇଁ ସହିଦ ହୋଇଛନ୍ତି ବୀର ଯବାନ । ସହିଦ କର୍ଣ୍ଣେଲ ମନପ୍ରୀତ ସିଂହ ୬ବର୍ଷର ପୁଅ ଓ ଅଢେଇ ବର୍ଷ ବୟସର ଝିଅ ରହିଛନ୍ତି । ସେହିପରି ସହିଦ ମେଜର ଆଶିଷ ଢୋଚକଙ୍କ ଦୁଇବର୍ଷର ଝିଅ ଅଛନ୍ତି । ବାପାମାଙ୍କ ଏକମାତ୍ର ପୁଅ ତଥା ସହିଦ ଡିଏସପି ହୁମାୟୁଁ ଭଟ୍ଟ ଗତବର୍ଷ ବିବାହ କରିଥିବାବେଳେ ତାଙ୍କର ଦୁଇମାସର ଝିଅ ଥିବା ଜଣାପଡିଛି । ବୁଧବାର ଜମ୍ମୁକଶ୍ମୀର ଅନନ୍ତନାଗ ଏନକାଉଁଟରେ ଆତଙ୍କବାଦୀ ଓ ସେନାର ଗୁଳିବିନିମୟରେ ୩ଜଣ ସେନା ଅଧିକାରୀ ସହିଦ ହୋଇଥିଲେ । ଘଟଣା ପରେ ଦୁଖରେ ଭାଙ୍ଗିପଡିଛନ୍ତି ପରିବାର, ପରିଜନ, ସମ୍ପର୍କୀୟ ।

Advertisment

ଘଟଣାକୁ ନେଇ ତାତି ଉଠିଛି ସାରା ଦେଶ । ବିଭିନ୍ନ ସ୍ଥାନରେ ପାକିସ୍ତାନ ବିରୋଧରେ ଜୋରଦାର ବିକ୍ଷୋଭ କରାଯାଉଛି । ଜମ୍ମୁକଶ୍ମୀର ଡୋଗରା ଫ୍ରଣ୍ଟ ଓ ବିଜେୟାଇଏମ ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯିବା ସହ ପାକିସ୍ତାନକୁ ଉଚିତ ଶାସ୍ତି ଦେବାକୁ ଦାବି ହେଉଛି । ପାକିସ୍ତାନ ପତାକା, ପାକ ସରକାରଙ୍କ କୁଶପୁତଳିକା ଦାହ କରାଯିବା ସହ ସ୍ଲୋଗାନ ଦେଇ ବିକ୍ଷୋଭ ଜାରି ରହିଛି ।

ଗୁଇନ୍ଦା ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଦୁଇ ଦିନ ଭିତରେ ଜମ୍ମୁକଶ୍ମୀରରେ ହୋଇଥିବା ଦୁଇଟି ବଡ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି । ଭାରତ ସଫଳତା ସହ ଜି-୨୦ ସମ୍ମିଳନୀ ଯୋଗୁଁ ବିଚଳିତ ପାକିସ୍ତାନ ଆକ୍ରମଣ କରିଛି । ବୁଧବାର ଆକ୍ରମଣ ଘଟଣା ପରେ ଅନନ୍ତନାଗ ସହ ଅନ୍ୟାନ୍ୟ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । କଡ଼ା ସୁରକ୍ଷା ବଳୟ ଭିତରେ ପୂରା ଜିଲ୍ଲାକୁ ରଖାଯାଇଛି ।

ବୁଧବାର ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସର୍ଚ ଅପରେସନ ବେଳେ ଆତଙ୍କବାଦୀଙ୍କ ଆକ୍ରମଣରେ ୩ ଅଧିକାରୀଙ୍କ ସମେତ ୪ ଜଣ ଯବାନ ଆହତ ହୋଇଥିଲେ ଅଧିକାରୀଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ, ରାଷ୍ଟ୍ରୀୟ ରାଇଫଲ୍ସର ଜଣେ ମେଜର ଓ ଜମ୍ମୁକଶ୍ମୀର ପୋଲିସର ଜଣେ ଡିଏସ୍ପି ରହିଛନ୍ତି । ଏମାନେ ହେଲେ କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶିଷ ଢୋଚକ ଓ ଡିଏସପି ହୁମାୟୁଁ । ଘଟଣାରେ ଦୁଇ ଜଣ ଆତଙ୍କବାଦୀ ମଧ୍ୟ ନିପାତ ହୋଇଛନ୍ତି ।