କନକ ବ୍ୟୁରୋ : ଆନ୍ଧ୍ରର କୋତାବାଲସା ନିକଟରେ ପାହାଡରୁ ପଥର ଖସି ରେଳ ଲାଇନ ବନ୍ଦ ହୋଇଯାଇଛି । ଫଳରେ ବିଶାଖାପାଟଣା-କୋରାପୁଟ-କିରୁଣ୍ଡୁଲ ରେଳପଥରେ ରେଳ ଚଳାଚଳ ବନ୍ଦ ହୋଇଯାଇଛି । ଗୋଟିଏ ଟ୍ରେନ୍ ଦିଗ ବଦଳାଇ ଅନ୍ୟ ରୁଟରେ ଚଳାଚଳ କରୁଛି । ସେହିପରି ୪ଟି ଟ୍ରେନ୍ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଛି ।

Advertisment

ପ୍ରବଳ ବର୍ଷା ଲାଗି ରହିଥିବାରୁ ବୋରାଘୁଲାଉ-କୋରାକାବାଲସା ମଧ୍ୟରେ ଟ୍ରାକ୍ ମଧ୍ୟକୁ ବଡ଼ ବଡ଼ ମାଟି ଅତଡା ସହ ପଥର ଖଣ୍ଡ ସବୁ ଖସି ଆସିଥିଲା । ଟ୍ରାକ୍ ସାରା ଗଦାଇ ହୋଇ ରହିବାରୁ ଟ୍ରେନ୍ ଚଳାଚଳ ସମ୍ଭବ ହୋଇପାରିନଥିଲା । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ମାଟି ଓ ପଥର ହଟାଇବା ଆରମ୍ଭ କରିଛନ୍ତି । ଅଧିକ ମାଟି ଧସିଥିବାରୁ ସଫା କରିବାକୁ ବହୁ ସମୟ ଲାଗିପାରେ । ବର୍ଷା ଲାଗି ରହିଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହେବ ବୋଲି କୁହାଯାଉଛି ।

କିରଣ୍ଡୁଲରୁ ଛାଡୁଥିବା କିରଣ୍ଡୁଲ-ବିଶାଖାପାଟଣା ନାଇଟ ଏକ୍ସପ୍ରେସ(୧୮୫୧୩)କୁ ବାତିଲ କରାଯାଇଛି । ସେହିପରି ୧୧ ତାରିଖରେ କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର(୦୮୫୫୧) ଓ ୧୨ ତାରିଖରେ କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର(୦୮୫୫୨)କୁ ବାତିଲ କରାଯାଇଛି । କିରଣ୍ଡୁଲ-ବିଶାଖାପାଟଣା ନାଇଟ ଏକ୍ସପ୍ରେସକୁ କୋରାପୁଟ-ଦାମନଯୋଡି- ରାୟଗଡା-ବିଶାଖାପାଟଣା ଦେଇ ଦିଗ ପରିବର୍ତ୍ତନ କରାଯାଇଛି ।