ଯେ ପ୍ରେମ ପାଇଁ ଦିନେ ପାହାଡ଼ କାଟି ରାସ୍ତା ତିଆରି କରିଥିଲେ , ତାଙ୍କ ପରିବାର ଉପରେ ଆଜି ଲଦିହୋଇଛି ଦୁଃଖର ପାହାଡ଼ । ସରକାରଙ୍କ ସହାୟତା ଅପେକ୍ଷାରେ “ମାଉଣ୍ଟେନ୍ ମ୍ୟାନ୍” ଙ୍କ ପରିବାର 

643

ବଲିଉଡ୍ ଚଳଚ୍ଚିତ୍ର “ମାଞ୍ଝି ଦ ମାଉଣ୍ଟନ୍ ମ୍ୟାନ୍” ରେ ନୱାଜୁଦ୍ଦିନ୍ ସିଦ୍ଦକିଙ୍କ ଦମଦାର୍ ଅଭିନୟକୁ ଦର୍ଶକ ଏଯାଏଁ ଭୁଲିପାରିନାହାନ୍ତି । ଏହି ଚଳଚ୍ଚିତ୍ରରେ ଦଶରଥ୍ ମାଞ୍ଝିଙ୍କ ଭୂମିକାରେ ନଜର ଆସିଥିଲେ ନୱାଜୁଦ୍ଦିନ୍ । ସେତେବେଳେ ଚର୍ଚ୍ଚା ସାଉଁଟିଥିଲେ ଗୟାର ମାଉଣ୍ଟେନ୍ ମ୍ୟାନ୍ ଦଶରଥ୍ ମାଞ୍ଝି । ତାଙ୍କର ସଂଘର୍ଷଭରା ଜୀବନକୁ ସମସ୍ତଙ୍କ ଆଗକୁ ଆଣିଥିଲା ଏହି ସିନେମା । ପ୍ରେମ ପାଇଁ ପାହାଡ଼କୁ କାଟି ରାସ୍ତା କରିଦେଇଥିବା ଏହି ମହାନ୍ ବ୍ୟକ୍ତିତ୍ୱଙ୍କୁ ନେଇ ପ୍ରସ୍ତୁତ ହେଲା ସିନେମା , ହସ୍ପିଟାଲ୍ ଏବଂ ସଡ଼କ । ହେଲେ ଆଜି ତାଙ୍କ ପରିବାରରେ ଦେଖାଦେଇଛି ଆର୍ଥିକ ସଂକଟ । ଦଶରଥ୍ ମାଞ୍ଝିଙ୍କ ୨ ବର୍ଷୀୟା ନାତୁଣୀ ପିଙ୍କିଙ୍କୁ ନେଇ ଏବେ ପୁରା ପରିବାର କରଜରେ ବୁଡ଼ିରହିଛି ।

ମାଞ୍ଝିଙ୍କ ନାତି ଚେନ୍ନାଇରେ ରହି କାମ କରୁଥିଲେ କିନ୍ତୁ ଦେଶରେ ତାଲାବନ୍ଦ କାରଣରୁ ଗାଁକୁ ଫେରିଥିଲେ । ହେଲେ ଏବେ ସେ ବେରୋଜଗାର , ନା ମିଳୁଛି ତାଙ୍କୁ କାମ ନା ପାଖରେ ଅଛି ପରିବାର ଚଳାଇଲା ଭଳି ଟଙ୍କା । ବୋଝ ଉପରେ ନଳିତା ବିଡ଼ା ପରି କୁନିଝିଅର ସ୍ୱାସ୍ଥ୍ୟ ପାଇଁ ବି ଖର୍ଚ୍ଚ ହେଉଛି ଟଙ୍କା । ନିକଟରେ ଏକ ସଡ଼କ ଦୂର୍ଘଟଣାରେ ପିଙ୍କିଙ୍କ ଗୋଟିଏ ହାତ ଏବଂ ଗୋଡ଼ ଭାଙ୍ଗିଯାଇଛି । ପାଖରେ କାଣିକଉଡିଟିଏ ନଥିବାରୁ ଧାରକରଜ କରି ପରିବାର ଲୋକ କୁନିଝିଅର ଚିକିତ୍ସା କରାଇଛନ୍ତି । ଏବେ ପିଙ୍କିର ଚିକିତ୍ସା ପାଇଁ ପରିବାର ପାଖରେ ଆଉ ସମ୍ବଳ ନାହିଁ । ତେଣୁ ସହାୟତା ପାଇଁ ସରକାରଙ୍କ କବାଟ ବାଡ଼େଇଛନ୍ତି ମାଉଣ୍ଟେନ୍ ମ୍ୟାନଙ୍କ ପରିବାର ।

ଏପଟେ ଦଶରଥଙ୍କ ପୁଅ ଭାଗୀରଥି ମାଞ୍ଝି କୁହନ୍ତି , ମୋତେ ବୃଦ୍ଧ ପେନସନ୍ ମିଳୁଥିଲା ହେଲେ ଏବେ ଏହାକୁ ବନ୍ଦ କରିଦିଆଯାଇଛି । ସିନେମା ନିର୍ଦ୍ଦେଶକ ସୁଟିଂ ସମୟରେ କଥା ଦେଇଥିଲେ ଯେ , ସିନେମାର ରୟାଲଟି ମିଳିବ କିନ୍ତୁ ଏବେ ଯାଏଁ ଆମକୁ କିଛି ମିଳିଲାନାହିଁ । ବହୁତ ଦୁଃଖର କଥା ମାଉଣ୍ଟେନ୍ ମ୍ୟାନଙ୍କ ପରିବାର ଲୋକ ଆଜିବି ଭଙ୍ଗାଦଦରା ଘରେ ରହୁଛନ୍ତି ।