ଇଣ୍ଡୋନେସିଆରେ ଆଗ୍ନେୟଗିରି ଲାଭା ଉଦ୍‌ଗୀରଣ । ୧୧ ଜଣ ଲୋକ ପୋଡି ପାଉଁଶ ହୋଇଗଲେ

58

 

ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ ମେରାପିରେ ଥିବା ଆଗ୍ନେୟଗିରିରେ  ଭୟଙ୍କର ଲାଭା ଉଦ୍‌ଗୀରଣ ; ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ

ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ ମେରାପିରେ ଆଗ୍ନେୟଗିରିରେ  ଲାଭା ଉଦ୍‌ଗୀରଣ ହୋଇଛି । ଏଥିରେ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି ।  ଏଥିସହ ଅନେକ ପର୍ବତାରୋହୀ ନିଖୋଜ ଅଛନ୍ତି ବୋଲି ସୂତ୍ରରୁ ପ୍ରକାଶ । ସେମାନଙ୍କୁ ଖୋଜିବାକୁ ସେନା ମୃତୟନ ହୋଇଛନ୍ତି ।  ରିଲିଫ ଓ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ।

ସୂଚନା ଅନୁଯାୟୀ, ଆଗ୍ନେୟଗିରି ନିକଟରେ ତିନି ଜଣ ପର୍ବତାରୋହୀଙ୍କ ମୃତଦେହ ମିଳିଥିବା ଉଦ୍ଧାରକାରୀ ଦଳ କହିଛି । ସେହିପରି ଅନ୍ୟ ୩ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଅନେକ ପର୍ବତାରୋହୀ ନିଖୋଜ ଅଛନ୍ତି । ସୁମାତ୍ରା ଦ୍ୱୀପରେ ଥିବା ମାଉଣ୍ଟ ମେରାପିରେ ରବିବାର ଦିନ ଆଗ୍ନେୟଗିରିରୁ ଲାଭା  ଉଦ୍‌ଗୀରଣ ହେବାରୁ ଆକାଶକୁ ୩,୦୦୦ ମିଟର୍‌ ଉଚ୍ଚର ପ୍ରବଳ କଳା ଧୂଆଁ ଉଠିଥିଲା । ଫଳରେ ଆଖପାଖ ଅଞ୍ଚଳରେ ଆଗ୍ନେୟଗିରି ଉଦ୍‌ଗୀରଣଜନିତ ଭଗ୍ନାଂଶ ଖସିବା ସହିତ ଚାରିଆଡେ ପାଉଁଶ ବିଛାଡି ହେଇ ପଡ଼ିଛି।

ଉଦ୍ଧାରକାରୀ ଦଳର  ମୁଖ୍ୟ ଅବ୍‌ଦୁଲ୍‌ ମଲିକ କହିଛନ୍ତି, ସପ୍ତାହର ଶେଷ ଦିନ ହେଇଥିବାରୁ ସେଠାକୁ ଅନେକ ପର୍ବତାରୋହୀ ଯାଇଥିଲେ ।  ସେଠାରେ ୭୫ରୁ ଅଧିକ ପର୍ବତାରୋହୀ ଥିଲେ। ବିସ୍ପୋରଣ ପରେ ସେମାନଙ୍କ ମଧ୍ୟରୁ ୨୬ଜଣଙ୍କୁ ସ୍ଥାନାନ୍ତର କରାଯାଇ ପାରି ନଥିଲା । ୨୬ଜଣଙ୍କ ମଧ୍ୟରୁ ଆମେ ୧୪ଜଣଙ୍କୁ ଉଦ୍ଧାର କରିଛି ।  ୧୪ଜଣଙ୍କ ମଧ୍ୟରୁ ଏଗାର ଜଣଙ୍କୁ ମୃତ ଏବଂ  ତିନି ଜଣଙ୍କୁ ଜୀବିତ  ଅବସ୍ଥାରେ ଉଦ୍ଧାର କରାଯାଇଛି । ୧୨ ଜଣ ଏବେବ ନିଖୋଜ ଅଛନ୍ତି ।

ଘଟଣାସ୍ଥଳରେ ସୃଷ୍ଟି ହୋଇଥିବା ଗୋଟାଏ ବଡ଼ ଖାଲ ନିକଟରୁ ଉଦ୍ଧାର ହୋଇଥିବା ୩ ଜୀବନ୍ତ ବ୍ୟକ୍ତିଙ୍କ ଦେହରେ ‌ପୋଡ଼ାକ୍ଷତ ରହିଛି। ଏଥିସହ ସେମାନେ ଦୁର୍ବଳିଆ ଦିଶୁଛନ୍ତି। ଉଦ୍ଧାରକାରୀ ଟିମ୍‌ ସେମାନଙ୍କୁ ପର୍ବତ ଉପରୁ ତଳକୁ ଆଣିଛନ୍ତି। ଆଗ୍ନେୟଗିରିରୁ ଗଳିତଧାତୁ ବା ଲାଭା ଉଦ୍‌ଗୀରଣ ହେବାର ଆଶଙ୍କା ଥିବାରୁ ଗ୍ରାମବାସୀଙ୍କୁ ୩ କିଲୋମିଟର୍‌ ଦୂ‌ରରେ ରହିବାକୁ ସରକାରୀ ଅଧିକାରୀମାନେ କହିଛନ୍ତି। ଚାରିଆଡେ ପାଉଁଶ ଉଡୁଥିବାରୁ ଲୋକଙ୍କୁ ଚଷମା ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।