ଇତିହାସ ରଚିଲେ ଦୃଷ୍ଟି ବାଧିତ ୪୬ ବର୍ଷିୟ ଝାଙ୍ଗ ହୋଙ୍ଗ୍ । ଏସିଆର ପ୍ରଥମ ଦୃଷ୍ଟି ବାଧିତ ଭାବେ ଏଭେରେଷ୍ଟ ଚଢି କଲେ ରେକର୍ଡ ।

292

କନକ ବ୍ୟୁରୋ : ଇଚ୍ଛାଶକ୍ତି ଦୃଢଥିଲେ ଦୁନିଆର କୌଣସି ବି କାର୍ଯ୍ୟ ଅସମ୍ଭବ ନୁହେଁ । ଏହା ପ୍ରମାଣ କରି ଦେଖାଇଛନ୍ତି ଚୀନର ଦୃଷ୍ଟିବାଧିତ ୪୬ ବର୍ଷିୟ ଝାଙ୍ଗ ହୋଙ୍ଗ । ଦୁନିଆର ସବୁଠାରୁ ଉଚ୍ଚ ମାଉଣ୍ଟ ଏଭେରେଷ୍ଟ ଉପରକୁ ଚଢିଥିବା ଦୃଷ୍ଟିହୀନ ବ୍ୟକ୍ତିଙ୍କ ମଧ୍ୟରେ ହୋଙ୍ଗ୍ ବିଶ୍ୱର ତୃତୀୟ ଓ ଏସିଆ ମହାଦେଶର ପ୍ରଥମ ବ୍ୟକ୍ତି । ଏହି ଅଭିଯାନରେ ତାଙ୍କ ସହ ତାଙ୍କର ୩ ଜଣ ଗାଇଡ୍ ମଧ୍ୟ ଥିଲେ ।

ଚୀନର ଦକ୍ଷିଣ ପଶ୍ଚିମ ସହ ଚୈଙ୍ଗାକିଙ୍ଗରେ ଜନ୍ମ ଗ୍ରହଣ କରିଥିବା ଝାଙ୍ଗ ୨୧ ବର୍ଷ ବୟସରେ ଗ୍ଲୋକୋମା କାରଣରୁ ଦୃଷ୍ଟିଶକ୍ତି ହରାଇଥିଲେ । ଅର୍ଥାତ ୨୫ ବର୍ଷ ହେବ ସେ ଦୁନିଆକୁ ଦେଖିବାରୁ ବଞ୍ଚିତ ହୋଇଛନ୍ତି । ତଥାପି ୮,୮୪୯ ମିଟର ଉଚ୍ଚ ପାହାଡ ଚଢିବା ତାଙ୍କ ପାଇଁ ଏକ ବଡ ଉପଲବ୍ଧି ।

ଏନେଇ ହୋଙ୍ଗ୍ କହିଛନ୍ତି କି ଏହା କେବେ ଫରକ ପଡିବ ନାହିଁ ଆପଣ ଦିବ୍ୟାଙ୍ଗ କି ସମାନ୍ୟ, ଆପଣଙ୍କ ଆଖିକୁ ଦେଖାଯାଉଛି କି ନାହିଁ, ଆପଣଙ୍କ ହାତ କାମ କରୁଛି କି ନାହିଁ । ଯଦି ଆପଣଙ୍କ ମନୋବଳ ଦୃଢ ରହିଛି ତ ଆପଣ ତାହା ହାସଲ କରିପାରିବେ ଯାହା ଅନ୍ୟମାନେ କରିପାରିବେ ନାହିଁ ।

ମାଉଣ୍ଟ ଏଭେରେଷ୍ଟ ଶୃଙ୍ଗ ଚଢିଥିବା ଝାଙ୍ଗ ଆହୁରି କହିଛନ୍ତି କି ‘ମୁଁ ଚଢିବା ବେଳେ ବହୁତ ଡରିଯାଇଥିଲି, କାରଣ ମୁଁ ଦେଖିପାରୁ ନଥିଲି କି ମୁଁ କୁଆଡେ ଯାଉଛି, ମୋ ପାଦ ଅନେକ ଥର ଖସି ଯାଇଛି । ଏମିତି କି, ମୁଁ କିଛିଥର ଖସିପଡିଛି । ମାତ୍ର ମୁଁ ମନରେ ଭାବି ନେଇଥିଲି କି ଏହି ଯାତ୍ରା ମୋ ପାଇଁ କଠିନ ହୋଇପାରେ କିନ୍ତୁ ମୁଁ  ଏହାକୁ ସାମ୍ନା କରିବି’ ।

ଦୃଷ୍ଟିହୀନ ପର୍ବତାରୋହୀ ହୋଙ୍ଗ କହିଛନ୍ତି କି, ସେ ନେତ୍ରହୀନ ଆମେରିକା ପର୍ବତାରୋହୀ ଏରିକ୍ ବେହେନମେୟରଙ୍କ ଠାରୁ ପ୍ରେରଣା ପାଇ ମାଉଣ୍ଟ ଏଭେରେଷ୍ଟ ଚଢିବାକୁ ନିଷ୍ପତ୍ତି ନେଇଥିଲେ । ବେହେନମେୟର ୨୦୦୧ ମସିହାରେ ମାଉଣ୍ଟ ଏଭେରେଷ୍ଟ ଚଢିବାରେ ସଫଳ ହୋଇଥିଲେ ।