ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟରେ ପହଞ୍ଚିଲା କରୋନା । ୧୭ ପର୍ବତାରୋହୀ ସଂକ୍ରମିତ ।

180

କନକ ବ୍ୟୁରୋ : ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା କରୋନା ଭୁତାଣୁ ଏବେ ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟରେ ବି ପହଞ୍ଚିଯ଼ାଇଛି । ଏଭରେଷ୍ଟ ଆରୋହଣ କରୁଥିବା ପ୍ରାୟ ୧୭ ଜଣ ପର୍ବତାରୋହୀ କରୋନା ସଂକ୍ରମିତ ଥିବା ଏକ ବିବିସି ରିପୋର୍ଟରୁ ଜଣାପଡ଼ିଛି । ସେମାନଙ୍କୁ କାଠମାଣ୍ଡୁର ଏକ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯ଼ାଇଛି । ସେହିପରି ବେସ କ୍ୟାମ୍ପରୁ ଫେରିଥିବା କେତେକ ପର୍ବତାରୋହୀ ମଧ୍ୟ ପଜିଟିଭ ବାହାରିଛନ୍ତି । ଫଳରେ ବସେ କ୍ୟାମ୍ପରେ ସଂକ୍ରମଣ ବ୍ୟାପୁଥିବା ସଂଦେହ କରାଯ଼ାଉଛି ।

ତେବେ ନେପାଳ ସରକାର ଏ ସମ୍ପର୍କରେ ଏପର୍ଯ୍ୟନ୍ତ ସରକାରୀଭାବେ କୌଣସି ଘୋଷଣା କରିନାହାନ୍ତି । ଏହା ସ୍ବୀକାର କରିବା ପରେ ନେପାଳକୁ ପର୍ଯ୍ୟଟକ କମିବା ଆଶଙ୍କାରେ ନେପାଳ ସରକାର ଚୁପ ରହୁଥିବା ସଂଦେହ କରାଯ଼ାଉଛି । କାରଣ ନେପାଳ ଆୟ କରୁଥିବା ବୈଦେଶିକ ମୁଦ୍ରାର ଏକ ବଡ଼ଭାଗ ଏଭରେଷ୍ଟ ଚଢିବାକୁ ଆସୁଥିବା ପର୍ବତାରୋହୀମାନଙ୍କଠାରୁ ମିଳିଥାଏ । ଗତ ବର୍ଷ କରୋନା ସଂକ୍ରମଣ ବ୍ୟାପିବା ପରେ ଏଭରେଷ୍ଟକୁ ବନ୍ଦ କରିଦିଆଯ଼ାଇଥିଲା । ଫଳରେ ନେପାଳ ବିପୁଳ ପରିମାଣରେ ବୈଦେଶିକ ମୁଦ୍ରା ହରାଇଥିଲା । ଏ ବର୍ଷ ପୁଣି କରୋନା ବ୍ୟାପିଲେ ନେପାଳ ଆହୁରି କ୍ଷତି ସହିବାର ଆଶଙ୍କା ରହିଛି ।