ଖଣି ଟଙ୍କାରେ ମାଲାମାଲ ଥାନା ବାବୁ ! ମାଫିଆଙ୍କ ଟଙ୍କାରେ ଅୟସ କରୁଥିଲେ ଆଇଆଇସି ! ଗିରଫ କଲା ଭିଜିଲାନ୍ସ ।

202

କନକ ବ୍ୟୁରୋ : ମୋଟୁ ଆଇଆଇସିଙ୍କ ଖଣି ଲିଙ୍କ୍ । ଗତକାଲି ମୋଟୁ ଥାନା ଆଇଆଇସି ସୁଶାନ୍ତ କୁମାର ସାହୁଙ୍କ ପାଖରୁ ଭିଜିଲାନ୍ସକୁ ୨ ଲକ୍ଷ ୮୦ ହଜାର ନଗଦ ଟଙ୍କା ମିଳିଥିଲା । ପୁଲିସ ବାବୁ ଏତେ ଟଙ୍କା କେଉଁଠୁ ଆଣିଲେ, ତାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନପାରିବାରୁ ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି । ସେପଟେ ଥାନା ବାବୁଙ୍କର ଖଣି ମାଫିଆଙ୍କ ସହ ଲିଙ୍କ୍ ଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି । ମୋଟୁ ଆଇଆଇସି ଆନ୍ଧ୍ର ଓ ତେଲେଙ୍ଗାନାର କ୍ୱାର୍ଜ ଓ ଗ୍ରାନାଇଟ ମାଫିଆଙ୍କ ଠାରୁ ମୋଟା ଅଙ୍କ ଆଦାୟ କରୁଥିବା ସେ ଅଭିଯୋଗ କରିଛନ୍ତି ।

ଖଣି ଟଙ୍କାରେ ମାଲାମାଲ ଥାନା ବାବୁ ! ଖଣି ମାଫିଆଙ୍କ ଟଙ୍କାରେ ଅୟସ କରୁଥିଲେ ଆଇଆଇସି ! ମାଲକାନଗିରି ମୋଟୁ ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ, ଭିଜିଲାନ୍ସ ହାତରେ ଗିରଫ ହେବା ପରେ ଖଣି ଲିଙ୍କ ଅଭିଯୋଗ ଆଣିଛି କଂଗ୍ରେସ । ଥାନା ବାବୁ, ଆନ୍ଧ୍ର ଓ ତେଲେଙ୍ଗାନାର କ୍ୱାର୍ଜ ଓ ଗ୍ରାନାଇଟ ମାଫିଆଙ୍କ ଠାରୁ ମୋଟା ଅଙ୍କ ନେଇ କାର ଯୋଗେ ନିଜ ଗାଁ କଟକ ନଖରା ଅଭିମୁଖେ ଯାଉଥିବା ବେଳେ ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ହାବୁଡରେ ପଡିଥିଲେ । ତାଙ୍କ ଠାରୁ ଜବତ ହୋଇଥିବା ୨ଲକ୍ଷ ୮୦ ହଜାର ଟଙ୍କାର ହିସାବ ଦେଇ ପାରିନପାରି ଜେଲ ଯାଇଛନ୍ତି । ଏହାସହ ସୁଶାନ୍ତଙ୍କ ନଖରା ସ୍ଥିତ ବାସଭବନ, ମୋଟୁ ଥାନା ଓ ମୋଟୁ ସ୍ଥିତ ସରକାରୀ ବାସଭବନରେ ଏକାକାଳିନ ଚଢାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ।

ଥାନା ବାବୁ ଗିରଫ ହେବା ପରେ କଂଗ୍ରେସ ତାଙ୍କ ବିରୋଧରେ ଖଣି ଲିଙ୍କ୍ ଅଭିଯୋଗ ଆଣିଛି । ଗତ ୧୮ ତାରିଖରେ ମୋଟୁ ସୀମାରେ ଭିଜି ଗ୍ରାନାଇଟ ନାମକ କମ୍ପାନୀର ୯ଟି ଗ୍ରାନାଇଟ ବୋଝେଇ ଟ୍ରଲରକୁ ଅଟକାଇଥିଲା ମୋଟୁ ପୁଲିସ । ଆଉ ଏମଭି ଚେକିଂ ନାଁରେ ଗାଡିରୁ ଜରିମାନା ଆଦାୟ କରି ଛାଡିଦେଇଥିଲା ମୋଟୁ ପୁଲିସ । ଯାହା ପୁଲିସର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଥିଲା । ସେଦିନର ସେହି ଘଟଣା ସହ ଥାନା ବାବୁଙ୍କ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଓଡିଶାର ଶେଷ ସୀମାରେ ଚାଲିଛି କ’ଣ । କେତେବେଳେ ଗ୍ରାନାଇଟ୍ ତ ଆଉ କେତେବେଳେ କ୍ୱାର୍ଜ ଖଣି ଖନନ ତ ଆଉ କେତେବେଳେ ସରକାରୀ ଜମି ଜବର ଦଖଲକୁ ନେଇ ଚର୍ଚ୍ଚାରେ ମୋଟୁ ତହସିଲ ।