ଅପହଞ୍ଚ ଇଲାକାରେ ସଂଜୀବନୀ ପାଲଟିଛି ବାଇକ୍ ଆମ୍ବୁଲାନ୍ସ ଓ ଡେଲିଭରି ଭ୍ୟାନ। ଗର୍ଭବତୀ ମହିଳାଙ୍କ ନିରାପଦ ପ୍ରସବ ପାଇଁ ରାଜ୍ୟରେ କନ୍ଧମାଳ ଅଧିକାର କରିଛି ପ୍ରଥମ ସ୍ଥାନ

366

କନକ ବ୍ୟୁରୋ: କନ୍ଧମାଳର ଦୁର୍ଗମ ଓ ଅପହଂଚ ଇଲାକାର ଗର୍ଭବତୀ ମହିଳାଙ୍କ ପାଇଁ ସଂଜୀବନୀ ପାଲଟିଛି ବାଇକ ଆମ୍ବୁଲାନ୍ସ, ଡେଲିଭରି ଭ୍ୟାନ ଓ ଜନନୀ ଅଟୋ ବ୍ୟବସ୍ଥା । ଏହି ବ୍ୟବସ୍ଥା କାରଣରୁ ରାଜ୍ୟର ଏହି ଅପହଂଚ ଇଲାକାରେ ଉଭୟ ମାଆ ଆଉ ଶିଶୁ ମୃତ୍ୟୁ ହାର ମଧ୍ୟ ବହୁ ଗୁଣା ହ୍ରାସ ପାଇଛି । ସବୁଠୁ ବଡ କଥା ହେଲା, ଦୁର୍ଗମ ଓ ଅପହଂଚ ଇଲାକାରେ ରହୁଥିବା ଗର୍ଭବତୀ ମହିଳାଙ୍କ ନିରାପଦ ପ୍ରସବ ପାଇଁ ରାଜ୍ୟରେ କନ୍ଧମାଳ ଅଧିକାର କରିଛି ପ୍ରଥମ ସ୍ଥାନ ।

କନ୍ଧମାଳରେ ଏମିତି ଅନେକ ଗାଁ ରହିଛି ଯେଉଁଠିକୁ ଯିବା ପାଇଁ ନା ଭଲ ରାସ୍ତା ଗୋଟେ ଅଛି ନା ହିଁ ସେଠାରେ ନେଟୱାର୍କ ଠିକରେ ଲାଗି ପାରୁଛି । ତେବେ କନ୍ଧମାଳ ଜିଲ୍ଲାରେ ଏଭଳି ପାଖାପାଖି ୮୧୦ଟି ଗାଁ ରହିଛି । ଜଙ୍ଗଲ, ପାହାଡ ଥିବା ଯୋଗୁଁ ଏସବୁ ଗାଁକୁ ଆମ୍ବୁଲାନ୍ସ ଯିବାର ସମ୍ଭାବନାର ଆଶା ବହୁତ କ୍ଷୀଣ । ଫଳରେ ଗର୍ଭବତୀ ମହିଳାମାନଙ୍କ ପାଇଁ ଡାକ୍ତରଖାନାକୁ ଯିବା ବହୁତ ମୁସ୍କିଲ ହୋଇପଡୁଥିଲା । ଏପରିକି ଘରୋଇ ପ୍ରସବ ଯୋଗୁଁ ଅଧିକାଂଶ କ୍ଷେତ୍ରରେ ଉଭୟ ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କର ଅକାଳରେ ମୃତ୍ୟୁ ଘଟୁଥିଲା । ଯେଉଁ କାରଣରୁ କନ୍ଧମାଳରେ ଶିଶୁ ଓ ମାତୃ ମୃତ୍ୟୁ ହାର ହୁ ହୁ ହୋଇ ବଢି ଚାଲିଥିଲା । ତେଣୁ ଏହାକୁ ରୋକିବା ପାଇଁ ତଥା ନିରାପଦ ପ୍ରସବ ନିମନ୍ତେ ବର୍ତ୍ତମାନର ଜିଲ୍ଲାପାଳ ଡା.ବୃନ୍ଦା ଡି ଗତବର୍ଷ ନୂଆ ବ୍ୟବସ୍ଥା କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ଯେଉଁ ଦୁର୍ଗମ ଓ ଅପହଂଚ ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁନାହିଁ କିମ୍ବା ନେଟୱାର୍କ ନାହିଁ, ସେଠାରେ ୫ଟି ବାଇକ୍ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି ।

ଦାରିଙ୍ଗବାଡିରେ ୨, ତୁମୁଡିବନ୍ଧ, ବାରଖମା ଓ ଫିରିଙ୍ଗିଆ ଦୁର୍ଗମ ଓ ଅପହଂଚ ଅଂଚଳରେ ଗୋଟିଏ ଲେଖାଏଁ ବାଇକ୍ ଆମ୍ବୁଲାନ୍ସ ଯୋଗାଇ ଦେବା ସହ ଡେଲିଭରି ଭ୍ୟାନ ଓ ଜନନୀ ଅଟୋର ମଧ୍ୟ ସୁବ୍ୟବସ୍ଥା କରିଛନ୍ତି ଜିଲ୍ଲାପାଳ । ତେବେ ଆଜି ସୁଦ୍ଧା ଡେଲିଭରୀ ଭ୍ୟାନ ସାହାଯ୍ୟରେ ୪୩୪ ଜଣ ଗର୍ଭବତୀ ମହିଳାଙ୍କ ପ୍ରସବ ହେଲାଣି । ତାହା ପୁଣି ନିରାପଦ ଭାବରେ । ସେହିଭଳି ବାଇକ୍ ଆମ୍ବୁଲାନ୍ସ ଦ୍ୱାରା ୮୯୪ ଜଣ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ନିରାପଦ ପ୍ରସବ ପାଇଁ ଭର୍ତ୍ତି କରାଯାଇଛି । ଜିଲ୍ଲାର ବିଭିନ୍ନ ବ୍ଲକରେ ବି ୧୪ଟି ଜନନୀ ଅଟୋ ରଖାଯାଇଛି । ଯେଉଁଥିରେ ପ୍ରସୂତିଙ୍କୁ ଅଟୋରେ ଆଣି ଡାକ୍ତରଖାନାରେ ପହଂଚାଇବାର ବ୍ୟବସ୍ଥା ରହିଛି । ତେବେ ଏଥିପାଇଁ ଦିନବେଳେ ଅଟୋ ପିଛା ୪ ଶହ ଏବଂ ସଂଧ୍ୟାରେ ୬ ଶହ ଟଙ୍କା ଭଡା ଦିଆଯାଉଛି ।