ଏଣିକି ବାଇକ୍ ସହ ଦୁଇଟି ହେଲମେଟ୍ କିଣିବା ବାଧ୍ୟତାମୂଳକ । ଚାଳକଙ୍କ ପାଖରେ ହେଲମେଟ୍ ଅଛି କି ନାହିଁ, ଦେବାକୁ ପଡିବ ପ୍ରମାଣ । ନଚେତ୍ ହୋଇପାରିବନି ଗାଡିର ପଂଜିକରଣ

ଜାଣନ୍ତୁ କେଉଁଠି ଲାଗୁ ହେଲା ଏଭଳି ନିୟମ

1,960

କନକ ବ୍ୟୁରୋ: ଏଣିକି ଗାଡି ସହ ହେଲମେଟ କିଣିବା ବାଧ୍ୟତାମୂଳକ । ସେ ବି ପୁଣି ଦୁଇଟି । ଯଦି ଆପଣ ଗାଡି କିଣୁଛନ୍ତି ତେବେ ସାଥିରେ ଆପଣଙ୍କୁ କିଣିବାକୁ ପଡିବ ଦୁଇ ଦୁଇଟି ହେଲମେଟ୍ । ନଚେତ ଆପଣଙ୍କ ଗାଡିର ରେଜିଷ୍ଟ୍ରେସନ ହେବ ନାହିଁ । ତେବେ ଉଭୟ ଚାଳକ ଏବଂ ସହଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଏଭଳି ନିଷ୍ପତି ନେଇଛନ୍ତି ମହାରାଷ୍ଟ୍ର ସରକାର ।

ଏଣିକି ଗାଡି କିଣିଲେ, ସାଥିରେ ବି କିଣିବାକୁ ପଡିବ ୨ଟି ହେଲମେଟ । ଏପରିକି ଗାଡି ପଂଜିକରଣ କରିବା ପୂର୍ବରୁ ଆବେଦନକାରୀଙ୍କ ନିକଟରେ ଦୁଇଟି ହେଲମେଟ ଅଛି କି ନାହିଁ , ତାର ପ୍ରମାଣ ମଧ୍ୟ ଦେଖାଇବାକୁ ପଡିବ । ତେବେ ଗାଡି କିଣିବା ସମୟରେ ଦୁଇଟି ହେଲମେଟର ପୂରା ତଥ୍ୟ ଗାଡି ସହ ଦିଆଯାଇଥିବା ସମସ୍ତ ଦସ୍ତାବିଜ ସହ ଆଟାଚ୍ କରାଯିବ । ଫଳରେ ଗାଡି ବିକିବା ସମୟରେ ଡିଲରସିପ ଗ୍ରାହକଙ୍କୁ ଦୁଇଟି ହେଲମେଟ ଉପଲବ୍ଧ କରାଇଛନ୍ତି କି ନାହିଁ ଏନେଇ ଆଉ କୌଣସି ସମସ୍ୟା ରହିବ ନାହିଁ । ତେବେ ଦୁଇଟି ହେଲମେଟର ରସିଦକୁ ଗାଡିର ରେଜିଷ୍ଟ୍ରେସନ ସମୟରେ ଆରଟିଓରେ ଦେଖାଇବା ପରେ ହିଁ ଯାଇ ଗାଡିର ରେଜିଷ୍ଟ୍ରେସନ ହୋଇପାରିବ ବୋଲି କହିଛନ୍ତି ମହାରାଷ୍ଟ୍ର ସରକାର । ସେହିଭଳି କେନ୍ଦ୍ରୀୟ ମୋଟର ଯାନ ଆଇନ, ୧୯୮୯ର ଧାରା ୧୩୮ (୪)(ଏଫ) ଅନୁସାରେ ଦୁଇ ଚକିଆ ଗାଡି କିଣିବା ସମୟରେ ଗ୍ରାହକଙ୍କୁ କଂପାନୀ ପକ୍ଷରୁ ଏକ ସୁରକ୍ଷାତ୍ମକ ହେଲମେଟ୍ ତଥା ବିଏସଆଇ ମାନକ ଯୁକ୍ତ ହେଲମେଟ୍ ଦେବା ବାଧ୍ୟତାମୂଳକ କରାଯାଇଛି । ଆଉ ଏହି ନିୟମକୁ ବର୍ତ୍ତମାନ ରାଜ୍ୟରେ କଡାକଡି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର ।

ଏଠାରେ ଆମେ କହି ରଖୁଛି ଯେ, ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ନଜରରେ ରଖି କଡାକଡି ଭାବେ ଲାଗୁ କରାଯାଉଛି ନୂଆ ମୋଟର ଯାନ ଆଇନ । ଯାହାକୁ ନମାନିଲେ ଚାଳକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଆଦାୟ କରାଯାଉଛି ମୋଟା ଅଙ୍କର ଜରିମାନା । ଆଉ ଟ୍ରାଫିକର ଏହି କଡା ନିୟମ ତାଲିକାରୁ ବାଦ୍ ପଡିନି ଓଡିଶା । ଅର୍ଥାତ୍ ଓଡିଶାରେ ମଧ୍ୟ ନୂଆ ଟ୍ରାଫିକ କଟକଣାକୁ କଡାକଡି ଭାବେ ଲାଗୁ କରାଯାଇଛି । ଏପରିକି ବାଇକ ଚାଳକଙ୍କ ପାଇଁ ହେଲମେଟ ପିନ୍ଧି ଗାଡି ଚଳାଇବାକୁ ବାଧ୍ୟତାମୂଳକ କରିବା ସହ ପଛରେ ବସିଥିବା ସହଯାତ୍ରୀଙ୍କୁ ମଧ୍ୟ ହେଲମେଟ୍ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ବାଇକରେ ୩ ଜଣ ବସିବାକୁ ବାରଣ କରାଯିବା ସହ ମଦ ପିଇ ଗାଡି ଚଳାଇଲେ, ଗାଡି ଚଳାଇଲା ବେଳେ ମୋବାଇଲରେ କଥା ହେଲେ ଭଳି ଟ୍ରାଫିକ୍ କଟକଣାକୁ କଡାକଡି ଭାବେ ଲାଗୁ କରାଯାଇଛି ।