ହେଲମେଟ୍ ପିନ୍ଧିନଥିଲେ ବୋଲି ଟ୍ରକ ଚାଳକ ଗଣିଲେ ଜୋରିମାନା । ବସିଥିବା ହେଲପର ପାଇଁ ମଧ୍ୟ କଟଗଲା ଚାଲାଣ ।

495

କନକ ବ୍ୟୁରୋ : ହେଲମେଟ୍ ପିନ୍ଧିନଥିଲେ ବୋଲି ଟ୍ରକ ଚାଳକ ଗଣିଛନ୍ତି ଜରିମାନା । କେବଳ ଚାଳକ ନୁହନ୍ତି, ବସିଥିବା ହେଲପର ପାଇଁ ମଧ୍ୟ ପିଲିଅନ୍ ହେଲମେଟ୍ ପାଇଁ କଟା ଯାଇଛି ଚାଲାଣ । ଏଭଳି ବିଚିତ୍ର ଘଟଣା ଯାଜପୁର ପୁଲିସ ଅଂଚଳରେ ଘଟିଛି । ସୂଚନା ମୁତାବକ ପହରକଂଟାର ଜ୍ୟୋତିରଂଜନ ସାହୁଙ୍କର ଏକ ଟ୍ରକ ରହିଛି । ଏହି ଟ୍ରକ ନେଇ ଚାଳକ ପ୍ରକାଶ ପାଣି ଯାଜପୁରରୁ ଚଣ୍ଡିଖୋଲ ଫେରୁଥିଲେ । ଚଣ୍ଡିଖୋଲ ଛକଠାରୁ ଏକ କିଲୋମିଟର ଦୂରରେ ପୁଲିସ ପକ୍ଷରୁ କୋଭିଡ୍ କଟକଣା ଏନଫୋର୍ସମେଂଟ ଚାଲିଥିଲା । ଚାଳକ ପ୍ରକାଶ ମାସ୍କ ପିନ୍ଧିଥିଲେ ହେଲେ ମାସ୍କ ଟିକେ ଖସି ଯାଇଥିଲା । ଏଣୁ ତାଙ୍କୁ ଚାଲାଣ କାଟିବା ପାଇଁ ଅଧିକାରୀ କହିଥିଲେ ।

କିଛି ସମୟ ଯୁକ୍ତି ହେବାରୁ ଅଧିକାରୀ ରାଗି ଯାଇଥିଲେ । ଚାଲାଣ କାଟିବା ପାଇଁ ଯୋଜନା କରିଥିଲେ । ହେଲେ ମାସ୍କ ପାଇଁ ମାତ୍ର ଶହେରୁ ୨ଶହ ଟଙ୍କା କାଟିବାକୁ ଥିଲା । କିନ୍ତୁ ଅଧିକାରୀ ରାଗି ଯାଇଥିବାରୁ ହଜାରେ ଟଙ୍କିଆ ଫାଇନ କାଟିବାକୁ ନିୟମ ଖୋଜିଥିଲେ । ହେଲମେଟ ଆଇନରେ ହଜାରେ ଟଙ୍କାର ଜରିମାନା ଥିବା ଦେଖି ଏହି ଚାଲାଣ କାଟିଥିଲେ । ହେଲେ ଗାଡ଼ି ଯେ ଟ୍ରକ ଥିଲା ଏକଥା ଚାଲାଣ କାଟିବା ବେଳେ ଅଧିକାରୀ ଭୁଲି ଯାଇଥିଲେ । ଟ୍ରକ ନମ୍ବର ପକାଇ ହେଲମେଟ ପାଇଁ ଚାଲଣ କାଟିଥିଲେ । ଏହି ଚାଲାଣ ଏବେ ଭାଇରାଲ ହେବାର ଲାଗିଛି । ଅଧିକାରୀ ରାଗିଲେ କ’ଣ କ’ଣ କରିପାରନ୍ତି ସେ ନେଇ ଚର୍ଚ୍ଚା ଜୋର ଧରିଛି ।