‘ଟ୍ରାଫିକ ଟଙ୍କା’ ହିସାବ: ଦୁଇ ମାସରେ ଆଦାୟ ହୋଇଛି ଦେଢ କୋଟି ଫାଇନ୍ । ବିଧାନସଭାରେ ଉତ୍ତର ରଖିଲେ ପରିବହନ ମନ୍ତ୍ରୀ

662

କନକ ବ୍ୟୁରୋ: ଦୁଇ ମାସରେ ଆଦାୟ ହୋଇଛି ଦେଢ କୋଟି ଫାଇନ । ନୂଆ ମୋଟର ଯାନ ଆଇନ ଲାଗୁ ପରେ ରାଜ୍ୟରେ ଆଦାୟ ହୋଇଛି ଦେଢ କୋଟିରୁ ଅଧିକ ଜରିମାନା । ସେପ୍ଟେମ୍ବର ୧ରୁ ନଭେମ୍ବର ୧ ମଧ୍ୟରେ ମୋଟ ୧ କୋଟି ୫୩ ଲକ୍ଷ ୩୪ ହଜାର ୭୬୦ କୋଟି ଟଙ୍କା ଆଦାୟ ହୋଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏହି ଜରିମାନା ଆଦାୟ ହୋଇଥିବା ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

 

ବିଧାନସଭାରେ ଆଜି କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ । ତେବେ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫୩୧୭ ଜଣଙ୍କ ଠାରୁ ୪୬୦୦୮୫୦ ଆଦାୟ ହୋଇଛି । ଇନସ୍ୟୁରାନ୍ସ ନଥିବା କାରଣରୁ ୨୧୧୧ ଜଣଙ୍କ ଠାରୁ ୧୩୭୯୭୦୦ ଟଙ୍କା ଆଦାୟ । ପିଓସି ବା ପ୍ରଦୂଷଣ ସାର୍ଟିଫିକେଟ ନଥିବାରୁ ୧୧୭୭ ଜଣଙ୍କ ଠାରୁ ୩୮୧୬୧୧୦ ଟଙ୍କା ଆଦାୟ । ସେହିପରି ମଦ ପିଇ ଗାଡି ଚଲାଉଥିବା ୪୯୦ ଜଣଙ୍କ ଠାରୁ ୭ ଲକ୍ଷ ୩୮୧୦୦ ଟଙ୍କା ଆଦାୟ ହୋଇଛି । ନିୟମ ଉଲ୍ଲଂଘନ କରିଥିବା ଦୁଇ ଚକିଆ, ତିନି ଓ ଚାରି ଚକିଆ ଯାନ ଚାଳକଙ୍କ ଠାରୁ ଏହି ଜରିମାନା ଆଦାୟ କରାଯାଇଛି ।

ତେବେ ସେପ୍ଟେମ୍ବର ମାସରେ ୨୦୧୮ରେ ୮୪୪ଟି ସଡକ ଦୁର୍ଘଟଣା ହୋଇଥିବା ବେଳେ ଚଳିତ ବର୍ଷ ୭୦୨ଟି ସଡକ ଦୁର୍ଘଟଣା ହୋଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।