କେବେ ସିଟି ବସ୍ କେବେ ସାଇକେଲ । ଏବେ ଖତ ଖାଉଛି ମୋଟର ଲଞ୍ଚ ଓ ବୋଟ୍ ।

121

କନକ ବ୍ୟୁରୋ : ଭୁବନେଶ୍ୱରର ସିଟିବସ୍ କବାଡିଆକୁ ବିକ୍ରି ହୋଇସାରିଛି । ରାଜ୍ୟର ଅନେକ ସ୍ଥାନରେ ଯାତ୍ରୀ ପରିବହନ ପାଇଁ କିଣା ହୋଇଥିବା ସିଟିବସ୍ ଗୁଡିକ ନଷ୍ଟ ହେବା ଖବର ଆପଣମାନେ ଜାଣିଛନ୍ତି । ଆଜି ଆସନ୍ତୁ ଜାଣିବା ମାଲକାନଗିରି ଚିତ୍ରକୋଣ୍ଡାର ବାଲିମେଳା ଜଳଭଣ୍ଡାର କଡରେ ପଡି ଖତ ଖାଉଛି ମୋଟର ଲଞ୍ଚ ।

ଦିନେ ବାଲିମେଳା ଜଳଭଣ୍ଡାରରେ ଯାତ୍ରୀଙ୍କୁ ପାଣି ପାରି କରାଉଥିଲା ଏହି ବୋଟ୍ । ଜଳଭଣ୍ଡାର ଅଥଳ ଜଳରାଶିକୁ ଚିରି ବିଚ୍ଛିନ୍ନାଞ୍ଚଳ ଅର୍ଥାତ୍ ବର୍ତମାନର ସ୍ୱାଭିମାନ ଅଞ୍ଚଳର ଲୋକଙ୍କୁ ନେବା ଆଣିବା କରୁଥିଲା ମୋଟର ଲଞ୍ଚ ଓ ବୋଟ୍ । ହେଲେ ଦେଖନ୍ତୁ ବର୍ତ୍ତମାନର ଅବସ୍ଥା । ରକ୍ଷଣାବେକ୍ଷଣ ଅଭାବରୁ ଏଣେ ତେଣେ ପଡି ନଷ୍ଟ ହେଉଛି ଯନ୍ତ୍ର ଚାଳିତ ବୋଟ୍ ଓ ଲଞ୍ଚ ।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳକୁ ଯିବା ପାଇଁ ପୂର୍ବରୁ ବୋଟ୍ ଓ ମୋଟର ଲଞ୍ଚ ଉପରେ ଭରସା କରୁଥିଲେ ଲୋକେ । ଗୁରୁପ୍ରିୟା ସେତୁ ହେବା ପରେ ଲୋକେ ଗାଡିରେ ଯାତାୟାତ କରୁଛନ୍ତି । ବୋଟରେ ଚଳାଚଳ କମି ଯାଇଛି । କେବଳ ସିନ୍ଧିପୁଟ, ପଣସପୁଟ, ଆଲାମପକା, ରାମଗୁଡା, ରାପଦର ଓ ଯନ୍ତ୍ରୀକୁ ୪ଟି ମୋଟର ଲଞ୍ଚ ଯିବା ଆସିବା କରୁଛି । ସେଥିରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଉତ୍ତମ ବ୍ୟବସ୍ଥା ନଥିବା ଯାତ୍ରୀ ଅଭିଯୋଗ କରିଛନ୍ତି । ତେଣୁ ବାକି ବୋଟ୍ ଗୁଡିକ ଏଭଳି ନଷ୍ଟ ହେଉଛି ।

ଲଞ୍ଚ ମରାମତି ପାଇଁ ପ୍ରତିବର୍ଷ ସରକାରୀ ତହବିଲରୁ ଅର୍ଥ ଖର୍ଚ୍ଚ ହେଉଛି । ହେଲେ ଏମିତି ମରାମତି ହେଉଛି ଯେ, ସେଗୁଡିକ ଲୋକଙ୍କ କାମରେ ଆସୁନି । ଆଉ ପରିତ୍ୟକ୍ତ ଅବସ୍ଥାରେ ପଡି ପଡି କବାଡିଆ ଦୋକାନୀଙ୍କୁ ବିକ୍ରି ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।