ଯୁବପୀଢିଙ୍କ ପାଇଁ ଉତ୍ସର୍ଗ ଗଦାଧରଙ୍କ ଜୀବନ…ଦକ୍ଷ ପ୍ରଶାସନିକ ଅଧିକାରୀରୁ ହେଲେ ସଫଳ ଚାଷୀ…ଗୋପାଳନ କରି ନିଜେ ଲାଭବାନ ହେବା ସହ ଅନ୍ୟଙ୍କୁ ଦେଖାଉଛନ୍ତି ବଞ୍ଚିବାର ରାହା

310

କନକ ବ୍ୟୁରୋ: ନା ଥିଲା ଜ୍ଞାନର ଅଭାବ ନା ଅଭାବ ଥିଲା ପଇସାର । କେବଳ ଇଚ୍ଛା ଥିଲା ଯୁବପୀଡ଼ିଙ୍କୁ ଏକ ନୂତନ ବାଟ ଦେଖାଇବାର । ସେଥିପାଇଁ ଜଣେ ଦକ୍ଷ ପ୍ରାଶାସନିକ ଅଧିକାରୀ ଭାବେ ସଫଳତାର ସହ କାମ କରି ଅବସର ପରର ଜୀବନ ବି ଯୁବପିଢିଙ୍କ ଲାଗି ଉତ୍ସର୍ଗ କରିଛନ୍ତି଼ କୋରାପୁଟର ପୁର୍ବତନ ଜିଲ୍ଳାପାଳ ଗଦାଧର ପରିଡ଼ା । ଏକ ଡାଏରୀ ଫାର୍ମ କରିି କିଛି ନୂଆ ପ୍ରଣାଳୀ ଆପଣେଇବା ଦ୍ୱାରା ଦୁଗ୍ଧ ଓ ଦୁଗ୍ଧ ଜାତ ସାମଗ୍ରୀ ବିକ୍ରି କରି ଲାଭବାନ ହୋଇପାରିଛନ୍ତି ଏହି ପ୍ରଶାସନିକ ଅଧିକାରୀ ଆଉ ଏହା ସହ ମଧ୍ୟ ଅନ୍ୟମାନଙ୍କୁ ଯୋଗାଇ ପାରିଛନ୍ତି ଜୀବନ ଜୀବିକା ।

ମୁଣ୍ଡରେ ଟୋପି , ପାଦରେ ଯୋତା । ଶ୍ରମିକ ଭଳି ଗାଇ ଗୁହାଳରେ କାମ କରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କୋରାପୁଟ ଜି୍ଲ୍ଳାର ପୂର୍ବତନ ଜିଲ୍ଳାପାଳ ଗଦାଧର ପରିଡ଼ା । ୨୦୦୮ ରୁ ୨୦୦୯ ମସିହାରେ ସେ ଜିଲ୍ଳାପାଳ ରୁପେ କୋରାପୁଟରେ କାର୍ଯ୍ୟ ତୁଲାଉଥିଲେ । ପରେ ଭୁବନେଶ୍ୱର ମୁନିସପାଲ କର୍ପୋରୋସନର କମିସନର ରୁପେ କାର୍ଯ୍ୟଭାର ତୁଲାଇଲା ପରେ ୨୦୧୦ ଜାନୁଆରି ମାସରେ ଚାକିରି ଜୀବନରୁ ଅବସର ନେଲେ । ଅବସର ନେବାର ବର୍ଷେ ପରେ ୨୦୧୧ ମସିହାରେ କୋରାପୁଟ ଜିଲା୍ଲ ଡୋଲିଆମ୍ବଠାରେ ଛୋଟିଆ ଡ଼ାଇରି ଫାର୍ମଟିଏ ଆରମ୍ଭ କରିଥିଲେ । ବର୍ତ୍ତମାନ ୬୦ ରୁ ଅଧିକ ଉନ୍ନତ ମାନର ହଲଷ୍ଟନ ଗାଈ ରଖିଛନ୍ତି ଗଦାଧରଙ୍କ ଫାର୍ମରେ ।

ତେବେ ପ୍ରାଶାସନିକ ସେବାରୁ ଅବସର ପରେ ଅନେକ କମ୍ପାନୀରୁ ନିମନ୍ତ୍ରଣ ବି ଆସିଥିଲା । କିନ୍ତୁ ସବୁକିଛି ଛାଡ଼ି ସହରବାସୀଙ୍କ ପାଇଁ କିଛି କରିବାର ପଣ କରିଥିଲେ ଗଦାଧର,ା ଯୁବ ପିଢି ମଧ୍ୟ ଚାକିରି ପଛରେ ନ ଗୋଡାଇ ଆତ୍ମ ନିର୍ଭରଶୀଳ ହେବାକୁ ପରାମର୍ଶ ଦିଅନ୍ତି ଏହି ବର୍ଷିଆନ୍ ଅଧିକାରୀ । ସେହିପରି ଏତେ ସଂଖ୍ୟକ ଗାଈଙ୍କ ରକ୍ଷଣାବେକ୍ଷଣ ପାଇଁ ବି ଆଧୁନିକ କୌଶଳ ଅବଲମ୍ବନ କରିଛନ୍ତି ଗଦାଧର । ଉପଯୁକ୍ତ ଆହାର ସାଙ୍ଗକୁ କମ ଖର୍ଚ୍ଚରେ କିଭଳି ଗୋଖାଦ୍ୟ ଦେଇ ହେବ ତାକୁ ମଧ୍ୟ ସେ ଖୋଜି ବାହାର କରିଛନ୍ତି । ଏପରିକି ଉନ୍ନତମାନର ଯନ୍ତ୍ରପାତି ବ୍ୟବହାର ଦ୍ୱାରା ଶ୍ରମ ଖର୍ଚ୍ଚ ବି କମ୍ କରାଯାଇପାରିଛି । ସେହିପରି କ୍ଷୀର ବିକ୍ରୀ ପାଇଁ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଟି ଦାୟୀତ୍ୱ ନେଇ ଭଲ ପଇସା ରୋଜଗାର କରିପାରୁଛନ୍ତି ।

ଗଦାଧର ପରିଡାଙ୍କ କୋରାପୁଟ ଡାଏରୀ । ଭିନ୍ନ ଏକ ଗୋଶାଳା । ଗୋମାତାର ସେବା ହି ଦେଇଛି ଅଶେଷ ଆନନ୍ଦ । ଆଦରରେ କାହାକୁ ଝିଅ ତ କାହାକୁ ନାତୁଣି , ଡାକୁଛନ୍ତି ଗଦାଧର । ସେବା ଓ ଜୀବନ ଜିବିକାର ମାଧ୍ୟମଟିଏ ପାଲଟିଛି କୋରାପୁଟ୍ ଡାଏରୀ । ଏପରି ପ୍ରତେକ ଗାଈ ସହ ଗଦାଧରଙ୍କ ଯୋଡି ହୋଇଛି ସଂପର୍କର ସେତୁ ।