କନକ ବ୍ୟୁରୋ : ନିିତିନ ମୋହନ ଲାଲ , ମୋଟିଭେସନାଲ ସ୍ପିକର । ଦିଲ୍ଲୀରେ ଅଫିସ । ନିତିନ ନିଜ ଅଫିସ ଜରିଆରେ ଜଣେ ବ୍ୟକ୍ତି ଦୈନନ୍ଦିନ ଜୀବନରେ ସାମ୍ନା କରୁଥିବା ସମସ୍ୟାର ସମାଧାନ କରିଦିଅନ୍ତି ବୋଲି ଦାବି କରିଥାନ୍ତି । ବିଭିନ୍ନ ଅନଲାଇନ ଆପ୍ଲିକେଶନରେ ସକ୍ରିୟ ରହିଥାନ୍ତି । କିନ୍ତୁ ଏହି ନିତିନ ମୋହନ ଏବେ ମିଠା କଥା କହି ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ଭୁବନେଶ୍ୱରର ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଛନ୍ତି ଠକେଇର ଶିକାର ହୋଇଥିବା ଲୋକେ । କେବଳ ଓଡିଶା ନୁହେଁ , ଅନ୍ୟ ରାଜ୍ୟର ଲୋକେ ବି ଏହି ଠକାମିର ଶିକାର ହୋଇଥିବା ଅଭିଯୋଗ ହେଇଛି । ବିଶେଷ କରି ଅସୁବିଧାରେ ପଡିଥିବା ଯୁବତୀ ଓ ମହିଳା ମାନେ ଏହି ସ୍କାମରେ ଅଧିକ ଭାବରେ ଫସିଥିବା ଜଣାପଡିଛି ।
ନିତିନ ମୋହନ ମୋଟିଭେସନାଲ ସ୍ପିକର,ଲାଇଫ କୋଚ,ସ୍ପିରିଚୁଆଲ ହିଲର,ନ୍ୟୁମୋରୋଲଜିଷ୍ଟ ଇତ୍ୟାଦି ହିସାବରେ ନିଜ ପରିଚୟ ଦିଅନ୍ତି । ସୋସିଆଲ ମିଡିଆରେ ଜୀବନର ସବୁ ସମସ୍ୟାର ସମାଧାନ ସ୍ପିରିଚୁଆଲ ହିଲିଂ ମାଧ୍ୟମରେ ହୋଇପାରିବ ବୋଲି ପ୍ରଚାର ପ୍ରସାର କରନ୍ତି । ୟୁଟ୍ୟୁବ ରେ ନିଜର ମୋଟିଭେସନାଲ ଭିଡିଓ ପୋଷ୍ଟ କରି ଲୋକଙ୍କୁ ଆକୃଷ୍ଟ କରନ୍ତି । ସମସ୍ୟାରେ ଫସିଥିବା ଲୋକ ଏଥିରେ ଆକୃଷ୍ଟ ହୋଇ ତାଙ୍କ ସହ ଯୋଗାଯୋଗ କରନ୍ତି ।
ପରବର୍ତୀ ସମୟରେ କାଉନସେଲିଂ କରି ହଜାର ଟଙ୍କାର ଏକ କୋର୍ସ କିଣିବାକୁ କହନ୍ତି , କୋର୍ସ କିଣିବା ପରେ ଆରମ୍ଭ ହୁଏ ଭିଡିଓ କନଫରେନ୍ସ, ଏହା ପରେ ଲୋକଙ୍କ ସମସ୍ୟା ସମାଧାନ ହୁଏନି,
ଲୋକେ ଅଭିଯୋଗ କରିବା ପରେ ପୁଣି ଏକ କୋର୍ସ କିଣିବାକୁ ବାଧ୍ୟ କରାଯାଏ , ଏହି ନୂଆ କୋର୍ସର ମୁଲ୍ୟ ଦୁଇରୁ ତିନି ଲକ୍ଷ ଟଙ୍କା ହୋଇଥାଏ । ଏଥିରେ ଜଡିତ ବ୍ୟକ୍ତିଙ୍କର ଏଭଳି ମାଇଣ୍ଡ ୱାସ କରାଯାଇଥାଏ ଯେ ସଂପୃକ୍ତ ବ୍ୟକ୍ତି ଜଣକ ଟଙ୍କା ଦେବାକୁ ବାଧ୍ୟ ହୋଇଥାନ୍ତି ।
ଟଙ୍କା ଫେରି ପାଇବା ପାଇଁ ନିତିନଙ୍କ ସହ ଯୋଗାଯୋଗ କରିବା ପରେ ମଧ୍ୟ କୌଣସି ଫାଇଦା ମିଳିନାହିଁ । ତେଣୁ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇବା ପରେ ସାରା ଭାରତରୁ ଏକଜୁଟ ହୋଇ ଏକ କମିଟି ଗଠନ କରିଛନ୍ତି ଲୋକେ । ଟଙ୍କା ଫେରି ପାଇବା ପାଇଁ ଭୁବନେଶ୍ୱର ସ୍ଥିତ ଅର୍ଥନୈତିକ ଅପରାଧ ଶାଖାର ଦ୍ୱାରସ୍ଥ ହୋଇଛନ୍ତି ।