ଶିଳ୍ପା, ନାନ୍ସି,, ଗୌରୀ – ଜଣେ ଜଣେ ସଚ୍ଚା ସିପାହୀ । କିଏ ଛୁଆ ହରାଇଛି, କିଏ ଛୁଆକୁ ପେଟରେ ଧରିଛି । ଭୂତାଣୁ ଭିତରେ ଭୟ ନକରି ମହାମାରୀ ସହ ଲଢୁଛନ୍ତି ମା’।

124

କନକ ବ୍ୟୁରୋ: ମାଆ ଆମ ବିଶ୍ୱାସ, ମାଆ ଆମ ନିଶ୍ୱାସ… ମାଆ ଆମ ଧମନୀରେ ବହୁଥିବା ଅମ୍ଲଜାନର ଆଶା… ତା ତ୍ୟାଗ, ବଳିଦାନ ପାଇଁ ତ ଆମେ ଆଜି ବଡ ହୋଇଛେ… ମାଆ କଥା କହିଲେ ରାତି ପାହିଯିବ, ଦିନ ସରିଯିବ । ତଥାପି ସାରିହେବନି ତା ଉତ୍ସର୍ଗର ଉପନ୍ୟାସ । ସେଇଥିପାଇଁ ତ ଶାସ୍ତ୍ର କହେ ପୁତ୍ର ପଛେ କୁପୁତ୍ର ହୋଇପାରେ ମାତା କୁମାତା ହେବା ଅସମ୍ଭ । ମାଆକୁ ଆଜି ଅନେକ ଲୋକ ଅନେକ କାହାଣୀ କହିବେ ହେଲେ ଆମେ ଆପଣଙ୍କୁ ମହାମାରୀ ବେଳେ ଏମିତି କିଛି ମାଆଙ୍କ କଥା କହିବୁ ଯିଏ ନିଜ ମମତା ଭିତରେ ଗୋଟେ ଜାତିର  ଯତ୍ନ ନେଉଛନ୍ତି, ଗୋଟେ ସମାଜକୁ ସୁରକ୍ଷା ଦେଉଛନ୍ତି । ଆଉ ସେମାନଙ୍କ କାହାଣୀ ଶୁଣିବା ପରେ ଆପଣଙ୍କ ବି ମାତୃ ଦିବସରେ ମାରିବେ ମୁଣ୍ଡିଆ ।

ଶିଳ୍ପା, ନାନସି, ଗୌରୀ… ମହାମାରୀ ଓ ମାତୃ ଦିବସରେ ଏମାନେ ହେଉଛନ୍ତି ଜଣେ ଜଣେ ସଚ୍ଚା ସିପାହୀ । ଭୂତାଣୁ ଭୟରେ ଯେତେବେଳେ ସମସ୍ତେ କାଳତିପାତ କରୁଛନ୍ତି ଏମାନେ କିନ୍ତୁ ନିଜ ଜୀବନକୁ ଖାତିର ନକରି ଲୋକଙ୍କ ପାଇଁ ମୃତ୍ୟୁ ସହ ଲଢେଇ କରୁଛନ୍ତି । କିଏ ହସ୍ପିଟାଲରେ କରୋନା ସହ କୁସ୍ତି କରୁଛି ତ କିଏ ରାସ୍ତାରେ ବାଟ ଓଗାଳି ଭାଇରସ ସହ ଯୁଦ୍ଧ କରୁଛି ।

ଗୌରୀ ବେହେରା, ପିପିଲି ସଅଁପୁରର ହୋମଗାର୍ଡ ଭାବେ କାର୍ଯ୍ୟରତ । ଗତବର୍ଷ କରୋନା ଡ୍ୟୁଟି କରୁଥିବା ବେଳେ ଝିଅର ମୃତ୍ୟୁ ଖବର ପାଇଥିଲେ । ମାଆ କରୋନା ଯୁଦ୍ଧ ଲଢୁଥିବା ବେଳେ ଜୀବନ ଯୁଦ୍ଧ ହାରିଯାଇଥିଲା ତାଙ୍କ ଝିଅ । କର୍କଟରେ ୧୩ ବର୍ଷର ଝିଅକୁ ହରାଇଥିଲା ଗୋଟେ କର୍ତ୍ତବ୍ୟରତ ପୋଲିସ ମାଆ । ଆଉ ଏବର୍ଷ କରୋନାର ୨ୟ ଲହର ବଢୁଥିବା ବେଳେ ଲୋକଙ୍କୁ ମାସ୍କ, ସାନିଟାଇଜର ବାଣ୍ଟୁଛନ୍ତି ଗୌରୀ । ନିଜ ସ୍ୱଳ୍ପ ଦରମାରୁ ଲୋକଙ୍କୁ କରୋନା ଅସ୍ତ୍ର ମାଗଣାରେ ଦାନ କରୁଛନ୍ତି ଯାହା ପୁଣି ତାଙ୍କ ପ୍ରତି ସମ୍ମାନ ବଢାଇ ଦେଇଛି ।

ସେହିପରି ନର୍ସ ନାନସୀ , ୪ ମାସର ଗର୍ଭବତୀ ଅଛନ୍ତି, କୋଭିଡ୍ କେନ୍ଦ୍ରରେ ଡ୍ୟୁଟି କରୁଛନ୍ତି । ନିଜ ଗର୍ଭସ୍ତ ସନ୍ତାନ, ନିଜ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବା ଜାଣିବି ମହାବିପତ୍ତିରୁ ମଣିଷଙ୍କୁ ରକ୍ଷା କରିବାକୁ କରୋନା ସଂକ୍ରମିତଙ୍କ ସେବା କରୁଛନ୍ତି ନର୍ସ ନାନ୍ସି ଆଏଜା ମିସ୍ତ୍ରୀ । ନିଜେ ଗର୍ଭବତୀ ଥାଇ ବି ସୁରଟର ଏକ କୋଭିଡ୍ ସେଣ୍ଟରର ସବୁ ୱାର୍ଡ ବୁଲିବୁଲି ରୋଗୀଙ୍କ ସେବା ଯତ୍ନ କରୁଛନ୍ତି ସେବାର ସାକ୍ଷତ ଦେବୀ ନାନସି । ଅନ୍ୟପଟେ ନାନସୀଙ୍କ ପରି ଶିଳ୍ପା ବି ପେଟରେ ପିଲା ଧରି କରୋନା ଡ୍ୟୁଟି କରୁଥିବା ନଜର ଆସିଥିଲେ । କିଛି ଦିନ ତଳେ ଛତିଶଗଡ ଦାନ୍ତେୱାଡାରେ ଲକଡାଉନ ଡ୍ୟୁଟି କରି ଚର୍ଚ୍ଚାରେ ରହିଥିଲେ ଡିଏସପି ଶିଳ୍ପା ସାହୁ । ୫ ମାସର ଗର୍ଭବତୀ ଥାଇ ବି ସେ ଲୋକଙ୍କ ଜୀବନ ରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇଥିଲେ । ଆଉ ହାତରେ ବାଡି ଧରି କରୋନା କବଳରୁ ଲୋକଙ୍କୁ ସୁରକ୍ଷା ଦେଉଥିଲେ ।