ଘରେ ପଡ଼ିଛି ମାଆର ମୃତଦେହ : ବାହାରେ ଅସହାୟ ଅବସ୍ଥାରେ ବସିଛନ୍ତି ୩ ଛୁଆ; ନବରଙ୍ଗପୁର ସହରର ୧୭ ନମ୍ବର ୱାର୍ଡରୁ ଆସିଛି ହୃଦୟଥରା ଚିତ୍ର

 ପାଂଚ ବର୍ଷ ହେବ ଛାଡ଼ି ଚାଲିଯାଇଛନ୍ତି ବାପା

249

କନକ ବ୍ୟୁରୋ : ପଲିଥିନ ଟଣା କୁଡିଆ ଭିତରେ ପଡିରହିଛି ମାଆଙ୍କ ଶବ । ବାହାରେ ବସି ରହିଛନ୍ତି ତିନି ଅସହାୟ ଶିଶୁ । କରୋନା କାଳରେ ଶବକୁ କାନ୍ଧ ମିଳୁନଥିବା ଖବର ଅନେକ ଦେଖିଛେ । ମହାମାରୀ ଗୋଟିଏ ଗୋଟିଏ ପରିବାରକୁ ଛାରଖାର କରିଦେଇଛି । ନବରଙ୍ଗପୁରରୁ ଆସିଛି ଏମିତି ଏକ ଦୃଦୟଥରା ଖବର । ନବରଙ୍ଗପୁର ପୌର ପରିଷଦ ଅଂଚଳର ୧୭ ନମ୍ବର ୱାର୍ଡରେ ମାଆର ମୃତ୍ୟୁ ହେବା ପରେ କରୋନା ଭୟରେ ପାଖ ମାଡିଲେ ନାହିଁ ସାହି ପଡୋଶୀ ।

ଦୀର୍ଘ ୬ ଘଂଟା ଧରି ଆମ୍ବୁଲାନ୍ସରେ ଶବ ପଡି ରହିବା ପରେ ଡ୍ରାଇଭର ଶବକୁ କାଢି ଚାଲିଗଲା । ଘରେ ପଡି ରହିଲା ଶବ । ତିନି ଶିଶୁ ମାଆର ଶବକୁ ନେଇ କୁଆଡେ ଯିବେ, କଣ କରିବେ କିଛି ବୁଝିପାରିଲେ ନାହିଁ  । ଦୀର୍ଘ ସମୟର ଅପେକ୍ଷା ପରେ ସ୍ଥାନୀୟ ଅଂଚଳ ସମାଜସେବୀ ବୁଲୁ ମହାପାତ୍ର ଘଟଣା ବାବଦରେ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ । ପରେ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ପୌର ପରିଷଦ କର୍ମଚାରୀଙ୍କ ସହଯୋଗରେ ଶବକୁ ଇନ୍ଦ୍ରାବତୀ ମଶାଣିକୁ ନେଇ ଅନ୍ତିମ ସଂସ୍କାର କରାଯାଇଛି । ୫ ବର୍ଷ ତଳୁ ବାପା ଛାଡି ଚାଲିଯାଇଥିଲେ ଏବେ ମାଆ ଆରପାରିକୁ ଚାଲିଗଲେ । କରୋନା ଏମାନଙ୍କୁ ଅନାଥ କରି ଦେଇଛି ।